ନକ୍ସଲ ନେତା ର ମୃତଦେହ ଠାବ : ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର

0
120
ନକ୍ସଲ ନେତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୨୧/୧୧) : ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର । ପୁଲିସ୍‌ ଖୋଜି ଖୋଜି ନୟାନ୍ତ ହେବା ପରେ ବି ପତ୍ତା ପାଉ ନ ଥିଲା । ଶେଷରେ ଜଙ୍ଗଲରୁ ମିଳିଲା ନକ୍ସଲ ନେତା ଦେବା ଓରଫ ତିରି ମାଡକାମୀର ମୃତଦେହ ।

ପୁଲିସ୍‌କୁ ଚକମା ଦେଇ ଦୀର୍ଘ ଦିନ ହେଲା ଏଣେତେଣେ ଲୁଚି ରହୁଥିଲା ଏହି ନକ୍ସଲ ନେତା ର ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇନି । ତେବେ ସଙ୍ଗଠନରେ ପରସ୍ପର ଭିତରେ ଲାଗିଥିବା ଲଢ଼େଇ ଯୋଗୁଁ ଦେବାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଆଜି ସକାଳେ ମାଲକାନଗିରି ନିକଟବର୍ତ୍ତୀ ଛତିଶଗଡର ଫୁସାରାସ ଘାଟି ନିକଟରେ ଥିବା ଜିଆକୋରତା ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇ ସିଆରପିଏଫ ଓ ପୁଲିସ୍‌ ଟିମ୍‌ ସେଠାକୁ ଯାଇଥିଲେ । ମାତ୍ର ସେଠାରେ ତଦନ୍ତ ପରେ ତାହା ନକ୍ସଲ କମାଣ୍ଡର ଦେବାର ମୃତଦେହ ବୋଲି ସ୍ପଷ୍ଟ ହୋଇଛି।

ଦେବା ଦରଭା ଡିଭିଜନର କଟେକଲ୍ୟାଣ କମିଟିର କମାଣ୍ଡର ଥିଲା । ପୁଲିସ ଦେବା ନାମରେ ୯ ଟି ବିଭିନ୍ନ ହିଂସା ଘଟଣା ନେଇ ମାମଲା ରୁଜ୍ଜୁ କରି ଖୋଜୁଥିଲେ ବି ତା’ ପତ୍ତା ପାଉ ନ ଥିଲା । ଦେବା ନାମରେ ସରକାର ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ସଂଗଠନରେ ନିଜ ନିଜ ଭିତରେ ଲଢେଇ କରି ଦେବା ମୃତ୍ୟୁବରଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ମୃତଦେହ ନିକଟରୁ ଏକ ବନ୍ଧୁକ ବି ଜବତ ହୋଇଛି । ଏହି ଘଟଣାରେ ପୁଲିସ୍‌ ଅଧିକ ତଦନ୍ତ ଆରମ୍ଭ କରିଛି ।