Thursday, March 28, 2024

Top 5 This Week

Related Posts

ଅଙ୍ଗ ନଦୀରେ ଅକାତ ପାଣି; ବ୍ରିଜ ପାଇଁ ଆନ୍ଦୋଳନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୨୧/୧୧) : ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ସରଗରମ ହେଲାଣି ରାଜନୀତି । ପଦ୍ମପୁରରେ ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ଅଙ୍ଗ ନଦୀରେ ବ୍ରିଜ ଦାବିରେ ଅଡ଼ି ବସିଛନ୍ତି ଲୋକେ ।

ବର୍ଷର ପ୍ରାୟ ଅଧା ଦିନ ଏହି ବ୍ରିଜରେ ଯାତାୟତ ବନ୍ଦ ରହୁଛି । ଏଥିଯୋଗୁଁ ଲୋକେ ବହୁ ହଇରାଣ ହେଉଥିବା ବେଳେ ଶୁଣୁ ନାହାଁନ୍ତି ପ୍ରଶାସନିକ ଅଧିକାରୀ । ତେଣୁ ଏବେ ଭୋଟ ସମୟରେ ତାତିଛନ୍ତି ଲୋକେ । ଏପରିକି ବ୍ରିଜ ନାହିଁ ତ ଭୋଟ ନାହିଁ ବୋଲି ବି ଦେଇଛନ୍ତି ଖୁଲମଖୁଲା ଚେତାବନୀ । ପଦ୍ମପୁର ନିବାର୍ଚନ ମଣ୍ଡଳୀ ଅଧୀନରେ ଥିବା ନୀଳାଥର ଓ ବରତୁଣ୍ଡା ଗାଁ ମଝିରେ ପ୍ରବାହିତ ହେଉଛି ଅଙ୍ଗ ନଦୀ । ନୀଳାଥର ରୁ ବରତୁଣ୍ଡା ମାତ୍ର ଗୋଟିଏ କିଲୋମିଟର । ଅଙ୍ଗ ନଦୀରେ ଅକାତ ପାଣି ଯୋଗୁଁ ବର୍ଷର ଅଧା ଦିନ ଏହି ଅଙ୍ଗ ନଦୀ ଲୋକଙ୍କ ପାଇଁ କାଳ ହୋଇଯାଏ । ଲୋକେ ନିଜସ୍ୱ ଚେଷ୍ଟାରେ ତାହାକୁ କିଛି ମାତ୍ରାରେ ସଜାଡ଼ି ବର୍ଷର ଅଳ୍ପ କିଛି ଦିନ ଯାତାୟତ କରିଛନ୍ତି ।

ନଦୀରେ ସବୁବେଳେ ଅକାତକାତ ପାଣି ରହୁଥିବାରୁ ବରତୁଣ୍ଡା ବଜାର ହେଉ କି ସ୍କୁଲ, ମାଣ୍ଡୋସିଲ ମେଡିକାଲ ଆଦି ସ୍ଥାନକୁ ଯିବାକୁ ହେଲେ ନୀଳାଥର ଗ୍ରାମବାସୀ ଦୀର୍ଘ ୧୫ କିଲୋମିଟର ବୁଲି କରି ଯିବାକୁ ବାଧ୍ୟ ହେଉଛନ୍ତି । ବର୍ଷା ଦିନେ ଗୁରୁତର ରୋଗୀ କିମ୍ୱା ଗର୍ଭବତୀଙ୍କୁ ମେଡିକାଲ ନେବାକୁ ସମସ୍ୟା ଦେଖା ଦେଇଥାଏ ।

ପ୍ରତି ନିବାର୍ଚନ ବେଳେ ଗାଁକୁ ନେତା ମନ୍ତ୍ରୀ ଆସି ବ୍ରିଜ ନିମାର୍ଣ ପାଇଁ ପ୍ରତିଶୃତି ଦିଅନ୍ତି। ହେଲେ ନିବାର୍ଚନ ସରିଲେ ସମସ୍ତେ ଭୁଲି ଯାଆନ୍ତି । ତେଣୁ ଏଥର ବ୍ରିଜ ନ ହେଲେ,ଭୋଟ ବି ଦେବେ ନାହିଁ ବୋଲି ନୀଳାଥର ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏ ନେଇ ଗ୍ରାମର ଜ୍ୟୋତ୍ସା ସାହୁ କହିଛନ୍ତି, ନଦୀରେ ପାଣି ଆସିଲେ ଗାଁ ଲୋକେ ଓ ଛୋଟ ଛୁଆ ବହୁତ ହଇରାଣ ହେଉଛନ୍ତି । ବର୍ଷା ଦିନ ନ ସରିବା ପର୍ଯ୍ୟନ୍ତ ମନ୍ତ୍ରୀ ବ୍ରିଜ କରିବାକୁ କହି ପଛରେ ମୁହଁ ଫେରାଇ ନେଉଛନ୍ତି ।

ଏ ନେଇ ପଞ୍ଚାୟତ ସଭ୍ୟା ଇନ୍ଦୁ ମାଝି କହିଛନ୍ତି, ବର୍ଷା ଦିନ ଯାକ ପିଲାଙ୍କ ସ୍କୁଲ ଯିବା ସମ୍ଭବ ହେଉନି । ଏହା ଦ୍ୱାରା ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ତେଣୁ ତୁରନ୍ତ ବ୍ରିଜ କରାଯାଉ । ନଚେତ ଆମେ ଭୋଟ ଦେବୁନି । ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Popular Articles