Friday, March 29, 2024

Top 5 This Week

Related Posts

କ୍ଲାସ୍‌ରେ ପଡ଼ିଗଲା ପାଣି, ନିର୍ଧୂମ ପିଟିଲେ ସାର୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୭/୧୧) : ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକ ତୁଲାଇଥାନ୍ତି ପ୍ରମୁଖ ଭୂମିକା । ତେଣୁ ପିତାମାତା ଶିକ୍ଷକଙ୍କ ଉପରେ ଭରସା କରି ନିଜ ପିଲାଙ୍କ ଦାୟିତ୍ୱ ଦେଇଥାନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ଏପରି ଏକ ଘଟଣା ସାମାନକୁ ଆସିଛି ଯେଉଁଠି ପିଲାର ସାମାନ୍ୟ ଭୁଲ୍‌ରେ ହିତାହିତ ଜ୍ଞାନ ଭୁଲି ଶିକ୍ଷକ ଜଣକ ତାକୁ କ୍ଲାସ୍‌ରେ ନିର୍ଧୂମ ପିଟିଛନ୍ତି ।

ନିଜ ପିଲା ଶରୀରରେ କ୍ଷତ ଚିହ୍ନ ଦେଖି ଅଭିଭାବକ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଆହତ ଛାତ୍ର ଜଣକ ହେଉଛନ୍ତି ବଲାଙ୍ଗୀର ସହରର ସାଲେପାଲି ଠାରେ ରହୁଥିବା ଉତ୍ତମ କୁମାର ଗୁପ୍ତାଙ୍କ ପୁଅ ଅମ୍ରିତ କୁମାର ଗୁପ୍ତା । ଅମ୍ରିତ ଗତକାଲି ସନ୍ଧ୍ୟାରେ ଟିକ୍ରାପଡା ସ୍ଥିତ ଏକ୍ସସେଲେନ୍ସି କୋଚିଂ ସେଣ୍ଟରକୁ ପାଠ ପଢିବାକୁ ଯାଇଥିଲେ । କ୍ଲାସରେ ଥିବା ସମୟରେ କୌଣସି କାରଣ ବଶତଃ ହଠାତ ଏକ ମଗ୍‌ରୁ କିଛି ପାଣି ତଳେ ପଡି ଯାଇଥିଲା । ଏହା ଦେଖି କୋଚିଂ ସେଣ୍ଟର ମାଳିକ ତଥା ଶିକ୍ଷକ ତରୁଣ ଅଗ୍ରୱାଲ, ଅମ୍ରିତକୁ ପ୍ରବଳ ପିଟିଥିଲେ । ଅମ୍ରିତର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ହୋଇଥିବା ବେଳେ ଆଖି ନିକଟରେ ଗଭୀର କ୍ଷତ ହୋଇଛି ।

ଟ୍ୟୁସନ ପରେ ଅମ୍ରିତ କାନ୍ଦି କାନ୍ଦି ଘରକୁ ଆସି ସବୁ କଥା କହିଥିଲା । ଖବର ପାଇ ତାଙ୍କ ବାପା ଘରେ ପହଞ୍ଚି ପୁଅ ଠାରୁ ପୂରା ଘଟଣା ଶୁଣିଥିଲେ । ଏହାପରେ ଏ ନେଇ ସେ ଟ୍ୟୁସନ ଶିକ୍ଷକ ତରୁଣ ଅଗ୍ରୱାଲଙ୍କ ନାଁରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି । ଏ ନେଇ ଆହତ ଅମ୍ରିତଙ୍କ ବାପା ଉତ୍ତମ ଗୁପ୍ତା କହିଛନ୍ତି, ପିଲା ଭୁଲ କଲେ ତାକୁ ବୁଝାଇବା ପରିବର୍ତ୍ତେ ଶିକ୍ଷକ ଏପରି ବର୍ବର କାଣ୍ଡ ଘଟାଇବା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ମୁଁ ଥାନାର ଦ୍ୱାରସ୍ଥ ହୋଇଛି ।

Popular Articles