ମୃତ୍ତିକା ସଂରକ୍ଷଣ ବିଭାଗରେ ଲକ୍ଷାଧିକ ଟଙ୍କା ବାଟମାରଣା ଅଭିଯୋଗ, ତଦନ୍ତ ଆରମ୍ଭ କଲେ ଲୋକପାଳ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୧୮.୧୦.): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ, ପାଲିଆ ପଞ୍ଚାୟତ ତଥା ଅନ୍ୟ ପଞ୍ଚାୟତରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ଆନୁକୂଲ୍ୟରେ ଚାରାରପଣ, ହୁଡବନ୍ଧା ନିର୍ମାଣ ଏବଂ ଏହାର ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ୍ୟର ଅଡୁଆଳରେ ବିଭଗୀୟ କର୍ମଚାରୀଙ୍କ ଦ୍ଵାରା ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ ନବରଙ୍ଗପୁର ଲୋକପାଳଙ୍କ ନିକଟରେ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ପତ୍ର ଦାଖଲ କରିବା ପରେ ଆଜି ଲୋକପାଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀଙ୍କୁ ଚିଠି କରି ଝରିଗାଁ ବ୍ଲକ ଗସ୍ତରେ ଆସିଥିଲେ |

ସେ ପହଞ୍ଚିବା ବେଳେ ମୃତ୍ତିକ ସଂରକ୍ଷଣ ବିଭାଗ ତରଫରୁ ଅଧିକାରୀ ଦେବୀପ୍ରସାଦ ଗମାଙ୍ଗ ଅଫିସ କାର୍ଯ୍ୟରେ ବ୍ୟସ୍ତଥିବା ଦର୍ଶାଇ ଲୋକପାଳଙ୍କ ତଦନ୍ତ ବେଳେ ଉପସ୍ଥିତ ରହି ନ ଥିଲେ କି ବିଭାଗୀୟ ଅଧିକାରୀଙ୍କୁ ପଠାଇ ନ ଥିଲେ ।ଶେଷରେ ଲୋକପାଳ ଶ୍ରୀ ମହାପାତ୍ର ଏକାକି ପାଲିଆ ପଞ୍ଚାୟତର ଛେପଟିଆମ୍ବା, ପାଉରବେଲି, ପାଲିଆ ଗ୍ରାମକୁ ଗସ୍ତ କରି ବିଭଗୀୟ ପ୍ରକଳ୍ପ ଗୁଡିକୁ ବୁଲିକି ଦେଖିଥିଲେ ଏବଂ ହିତାଧିକାରୀଙ୍କୁ ସତ୍ୟାସତ୍ୟ ପଚାରିଥିଲେ । ଲୋକପାଳ ନିଜ ତଦନ୍ତରେ ଦେଖିବାକୁ ପାଇଥିଲେ ଯେ ବିଭଗୀୟ ଅଧିକାରୀ ବୃକ୍ଷ ରୋପଣ ନାମରେ ଅଜସ୍ର ଟଙ୍କା ଉଠାଣ କରି ଏବେ ରକ୍ଷଣାବେକ୍ଷଣ ନାମରେ ଗଛଟିଏ ନ ଥିଲେ ମଧ୍ୟ ଟଙ୍କା ଉଠାଇ ଚାଲିଛନ୍ତି । କ୍ଷେତରେ ଗଛ ଗୁଡିକ ଉଭାନ ହୋଇଯାଇଥିଲେ ବି ଏହାର ରକ୍ଷଣାବେକ୍ଷଣ ପାଇଁ ଲଗାତାର ତୃତୀୟ ବର୍ଷ ଚେପଟିଆମ୍ବା ଗ୍ରାମରେ ୨୦ଏକ୍ଟର କ୍ଷେତ୍ରରେ ଥିବାଗଛ ରକ୍ଷଣା ବେକ୍ଷଣ ପାଇଁ ୨ଲକ୍ଷ ୪୦ହଜାର ଟଙ୍କା, ପାଉରବେଲି ଗ୍ରାମରେ ୪୦ଏକ୍ଟର କ୍ଷେତ୍ରରେ ରକ୍ଷଣାବେକ୍ଷଣ ପାଇଂ ୪ଲକ୍ଷ ୮୦ହଜାର ଟଙ୍କା ଏବଂ ପାଲିଆ ଗ୍ରାମରେ ୨୦ଏକ୍ଟର କ୍ଷେତ୍ର ପାଇଁ ୨ଲକ୍ଷ ୪୦ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସମସ୍ତ ସ୍ଥାନରେ ତାରବାଡ଼ି ନ ଥିବା, ୱାଚର ନ ଥିବା ଓ ଶ୍ରମିକ ମାନଙ୍କ ପାଉଣା ପ୍ରଦାନ ହୋଇ ନ ଥିବା ଜାଣିବାକୁ ପାଇଥିଲେ ।

ସେହିଭଳି ବ୍ଲକରେ ୧୦ଗୋଟି ସ୍ଥାନରେ ହୁଡା ନିର୍ମାଣ କାର୍ଯ୍ୟରେ ମୋଟ ୧ କୋଟି ୨୫ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ପାଇଥିବା ବେଳେ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଲୋକପାଳଙ୍କ ତଦନ୍ତ କାର୍ଯ୍ୟ ଆଗକୁ ବଢ଼ି ନ ଥିଲା ତେବେ ପୁଫୁଗାଁ ଏବଂ ଡାବୁଗାଁର ମେଦନା ପଞ୍ଚାୟତ ଗସ୍ତକରି ନବରଙ୍ଗପୁର ଫେରିଯାଇଥିବା ବେଳେ । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ସେ ପୁନର୍ବାର ଚିଠି କରି ଝରିଗାଁ ବ୍ଲକ ଗସ୍ତ କରିବେ ବୋଲି ଜଣେଇ ଅଛନ୍ତି ।

Comments are closed.