ଛତୁଆ ବିକ୍ରି ଘଟଣା, ସିଡିପିଓଙ୍କ ତଦନ୍ତ ଆରମ୍ଭ, ଧର୍ମକୁ ଆଖିଠାର ସଦୃଶ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୧୬/୧୦): ବଲାଂଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ ବାନିପାଳି ପଂଚାୟତ ଅନ୍ତର୍ଗତ ତବଲବାଞ୍ଜି ଅଙ୍ଗନବାଡି କେନ୍ଦ୍ରର କର୍ମୀ ସଂଜୁ ବାଗ ଗତ ଶନିବାର ଦିନ ଗର୍ଭବତୀ ଓ ପ୍ରସୂତୀଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆକୁ ବିକ୍ରି କରୁଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଧରା ପଡ଼ିଥିଲେ । ଏ ନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।

ଛତୁଆ ବିକ୍ରି ଘଟଣାର ତଦନ୍ତ ପାଇଁ ଆଜି ଲୋଇସିଂହା ସିଡିପିଓ ପ୍ରଜ୍ଞାରାଣୀ ବାରିକ ତବଲବାଞ୍ଜି ଗ୍ରାମରେ ପହଂଚିଥିଲେ । ସେ ପ୍ରଥମେ ଛତୁଆ ଜବତ କରିଥିବା ଗ୍ରାମର କିଛି ଗର୍ଭବତୀ ଓ ପ୍ରସୂତୀଙ୍କୁ ଭେଟି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ତେବେ ଅଙ୍ଗନବାଡି କେନ୍ଦ୍ରର ଷ୍ଟକ ଓ ଖାତା ଯାଞ୍ଚ ନ କରି ସିଡିପିଓ ସିଧାସଳଖ ସେଠାରୁ ୪ କିମି ଦୂର ଅଙ୍ଗନବାଡି କର୍ମୀଙ୍କ ଗ୍ରାମ ଅନ୍ତପାଲିକୁ ଯାଇ ସମ୍ପୃକ୍ତ କର୍ମୀଙ୍କୁ ପୁଲିସ ଉପସ୍ଥିତିରେ ପଚରା ଉଚୁରା କରିଥିଲେ । ସେଠାରେ ଛତୁଆ ଜବତ କରି ଗର୍ଭବତୀ ଓ ପ୍ରସୂତୀଙ୍କୁ ହସ୍ତାନ୍ତର କରିଥିବା ଗ୍ରାମର ରାଜିନ ସୁନା, ଯଦୁମଣି କଲେତ ଓ ଦୀନବନ୍ଧୁ ସୁନାଙ୍କୁ ପଚରା ଉଚୁରା କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟକ୍ଷେତ୍ର ତବଲବାଞ୍ଜି ହୋଇଥିବା ବେଳେ ଏଠାରୁ ୪ କିମି ଦୂର ଅନ୍ତପାଳି ସ୍ଥିତ ନିଜ ଘରେ କର୍ମୀ ଜଣକ କାହିଁକି ଛତୁଆ ରଖି ଆସୁଥିଲେ ! ମାତୃ କମିଟି ଓ ଯାଞ୍ଚ କମିଟି ଛତୁଆ ତଥା ଅଣ୍ଡାର ମାନ ପରୀକ୍ଷଣ କରୁଥିବା ବେଳେ ଆଜି ସୁଦ୍ଧା ତବଲବାଞ୍ଜି କେନ୍ଦ୍ରର ମାତୃ କମିଟି ଓ ଯାଞ୍ଚ କମିଟି କାହିଁକି ଗଠନ କରାଯାଇ ନାହିଁ ! ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ ସୁରକ୍ଷା ଦେବା ସକାଶେ ସିଡିପିଓ ନାମକୁ ମାତ୍ର ତଦନ୍ତ ପାଇଁ ଆସିବା ସହିତ ସେମାନଙ୍କୁ ବିଭିନ୍ନ ବିଭ୍ରାନ୍ତିକର ତଥା ଅବାନ୍ତର ପ୍ରଶ୍ନ ପଚାରିଥିବା ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ଅଭିଯୋଗ କରିଛନ୍ତି ।

ଏପରିକି ଛତୁଆ ବିକ୍ରି ନେଇ ହୋଇଥିବା ଅଭିଯୋଗ ପତ୍ରରେ ରହିଥିବା ଦସ୍ତଖତକୁ ଯାଞ୍ଚ କରିବା ଆଳରେ ସିଡିପିଓ ସେମାନଙ୍କ ଠାରୁ ଏକ ସାଦା କାଗଜରେ ଦସ୍ତଖତ ନେବାପାଇଁ ଉଦ୍ୟମ କରିଥିବା ସମ୍ପୃକ୍ତ ମହିଳା ମାନେ ଅଭିଯୋଗ କରିଛନ୍ତି । ଏ ବାବଦରେ ଲୋଇସିଂହା ସିଡିପିଓ ପ୍ରଜ୍ଞାରାଣୀ ବାରିକଙ୍କୁ ଯୋଗାଯୋଗ କରାଯାଇଥିଲେ ହେ ତାହା ସମ୍ଭବ ହୋଇ ନ ଥିଲା ।

Comments are closed.