ଲୁପ୍ତପ୍ରାୟ ଖାଦ୍ୟ ମାଣ୍ଡିଆକୁ ମିଳିଛି ନୂତନ ପରିଚୟ ପାଳନ ହେଲା ମାଣ୍ଡିଆ ଦିବସ

0
248
ଲୁପ୍ତପ୍ରାୟ ଖାଦ୍ୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୦/୧୧) : ବହୁ ବର୍ଷ ପରେ ଲୁପ୍ତପ୍ରାୟ ଖାଦ୍ୟ ” ମାଣ୍ଡିଆ “କୁ ମିଳିଛି ନୂଆ ଜୀବନ । ଦିନେ ଗରିବର ଖାଦ୍ୟ ଭାବେ ଘରେ ଘରେ ପରିଚିତ ମାଣ୍ଡିଆ ଏବେ ସାରା ବିଶ୍ଵରେ ଚହଳ ପକାଇଛି ।

ମାଣ୍ଡିଆ ପୁଷ୍ଟିଗତ ଗୁଣ ଯୋଗୁଁ ଏହା ଦେଶ ବିଦେଶରେ ପୁଷ୍ଟି ସୁରକ୍ଷା ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱ ବହନ କରିଛି । ସମାଜର ନିମ୍ନବର୍ଗ ଲୋକଙ୍କର ପୁଷ୍ଟି ଗତ ସୁରକ୍ଷା ଦିଗକୁ ଅନୁଭବ କରି ଓଡ଼ିଶା ସରକାର ଏହି ପୁଷ୍ଟି ଶଶ୍ୟର ପୁନରୁଦ୍ଧାର ନିମନ୍ତେ ” ଓଡ଼ିଶା ମିଲେଟ ମିଶନ ” ଯୋଜନା ଆରମ୍ଭ କରିଛନ୍ତି , ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଶୁଷ୍କ ଓ ବର୍ଷା ପୁଷ୍ଟି ଅଞ୍ଚଳରେ ଧାନ ଗହମ ଅପେକ୍ଷା କମ୍ ପାଣି, ଜଳବାୟୁ ସହଣୀ ଶକ୍ତି, ଗ୍ଲୁଟେନ ମୁକ୍ତ, ଅଧିକ ସ୍ନେହସାର, ଆଣ୍ଟି ଅକ୍ସିଡେଣ୍ଟ ଯୁକ୍ତ, ମଧୁମେହ ରୋଗ ପ୍ରତିରୋଧକ କ୍ଷମତା ରହିଥିବା ଯୋଗୁଁ ବିଳମ୍ବରେ ହେଲେ ମଧ୍ୟ ଲୁପ୍ତପ୍ରାୟ ଖାଦ୍ୟ ମାଣ୍ଡିଆ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠିତ ହୋଇପାରିଛି ।

ତେଣୁ ମାଣ୍ଡିଆର ସାଂସ୍କୃତିକ ପ୍ରାଧାନ୍ୟ ଯୋଗୁଁ ଓଡ଼ିଶା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଏହି ପୁଷ୍ଟି ଶଶ୍ୟର ପ୍ରସାର ନିମନ୍ତେ ମାର୍ଗଶିର ମାସର ପ୍ରଥମ ଗୁରୁବାର (ନଭେମ୍ବର ୧୦ ତାରିଖ) କୁ “ମାଣ୍ଡିଆ ଦିବସ” ରୂପେ ଘୋଷଣା କରାଯାଇଛି । ଏହି ଅବସରରେ ଆଜି ଗୁଣପୁର କୃଷି ବିଭାଗ ତରଫରୁ ମାଣ୍ଡିଆ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏ ଡି ଓ ବିଷ୍ଣୁ ପ୍ରସାଦ ସାହୁ, ବ୍ଲକ କୃଷି ଅଧିକାରୀ ସୁଜାତା ନିଶଙ୍କ, ମିଶନ ଶକ୍ତିର ଜୟନ୍ତ ସେଠି, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସ୍ୱର୍ଣ୍ଣ ସାରିକା ବେହେରା , ଆତ୍ମାର ସଭାପତି ରାଜେନ୍ଦ୍ର ନିମାଲା, ସହକାରୀ କୃଷି ଅଧିକାରୀ ସନ୍ତୋଷ ରଥ ପ୍ରମୁଖ ଯୋଗଦେଇ ମାଣ୍ଡିଆର ଗୁଣବତ୍ତା ଓ ଏହାର ପ୍ରଚାର ପ୍ରସାର ସମ୍ବନ୍ଧରେ ଚାଷୀ ମାନଙ୍କୁ ବୁଝାଇଥିଲେ ।

ଓଡ଼ିଶା ସରକାରଙ୍କ ଏହି ମିଶନ ଦ୍ୱାରା ଜନସାଧାରଣଙ୍କ ମନରେ ଏକ ନୂତନ ଆଶାର ସଞ୍ଚାର ହେବ ଓ ଲୁପ୍ତପ୍ରାୟ ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶଶ୍ୟର ପୁନରୁଦ୍ଧାର ହୋଇପାରିବ । ଏହି ମାଣ୍ଡିଆ ମିଶନ କାର୍ଯ୍ୟକ୍ରମ ମାଣ୍ଡିଆ ଶଶ୍ୟକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବ ଏଥିରେ ସନ୍ଦେହ ନାହିଁ ।