Related Contents

ବିଗତ ଶତାବ୍ଦୀର ପଞ୍ଚଦଶକର ଶେଷ ଭାଗରୁ ପାଇକମାଲର ସାର୍ବଜନୀନ ଦୁର୍ଗାପୂଜା

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୦୨/୧୦): ଅନାଦି କାଳରୁ ତପୋଭୂମି ଭାରତ ବର୍ଷରେ ଶକ୍ତିର ପୂଜା, ଉପାସନା ହୋଇଆସୁଛି | ଶକ୍ତି ସ୍ୱରୂପିଣୀ ଜଗତ ଜନନୀ ମା ଦୁର୍ଗା ବିଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଏ | ମାନବ ସମାଜ ମା ଙ୍କ ଆଶୀର୍ବାଦରୁ ଶକ୍ତି, ଐଶ୍ଵର୍ଯ୍ୟ ଓ ବୈଭବ ତଥା ଶାନ୍ତି ପାଇଥାଏ | ଭାରତର କୋଣ ଅନୁକୋଣରେ ସ୍ଥାପନ କରାଯାଇଛି ବିଭିନ୍ନ ଶକ୍ତିପୀଠ | ଏହି ଶକ୍ତିପୀଠ ମାନଙ୍କର ଭକ୍ତମାନେ ମା ଙ୍କ କରୁଣା ଲାଭାପାଇବା ପାଇଁ ଶାରଦୀୟ ଓ ବାସନ୍ତିକ ଦୁର୍ଗାପୂଜା କରି ଆସୁଛନ୍ତି | ଭାରତର ପ୍ରାୟ ସର୍ବତ୍ର ଶାରଦୀୟ ଦୁର୍ଗାପୂଜା ପାଳନ କରାଯାଏ | ତନ୍ମଧ୍ୟରୁ ହିମାଚଳ ପ୍ରଦେଶ, କଲିକତା, ଛତିଶଗଡ଼ର ଜଗଦଳପୁର ଓ ମହୀସୁରର ଦୁର୍ଗାପୂଜା ଜଗତ ପ୍ରସିଦ୍ଧ |

ଆମ ପାଇକମାଳରେ ମଧ୍ୟ ଦଶହରା ପର୍ବ ପୂର୍ଣ୍ଣ ଆନ୍ତରିକତା ଓ ମହାଡ଼ମ୍ବର ସହକାରେ ପାଳନ କରାଯାଉଛି | ଲୋକୋକ୍ତି ରୁ ଜଣାପଡେ ଯେ ପ୍ରାୟ ବିଗତ ଶତାବ୍ଦୀର ପଞ୍ଚଦଶକର ଶେଷ ଭାଗରୁ ପାଇକମାଳ ଠାରେ ଦୁର୍ଗାପୂଜା ହୋଇଆସୁଛି | ପାଇକମାଳ ଥାନାର ପ୍ରାରମ୍ଭ ଓ ଦୁର୍ଗାପୂଜାର ପ୍ରାରମ୍ଭ ସମସାମୟିକ | ସାର୍ବଜନୀନ ଦୁର୍ଗାପୂଜାରେ ମହାଡ଼ମ୍ବର ସହକାରେ ମୃଣ୍ମୟୀ ପ୍ରତିମା ରୂପରେ ମା ଦୁର୍ଗାଙ୍କୁ ଆବାହନ ଓ ପୂଜନ କରାଯାଏ | ସପ୍ତମୀ ତିଥିରୁ ପୂଜାରମ୍ଭ ହୋଇ ଦଶମୀରେ ହୋମ ଯଜ୍ଞ ସହ ପୂର୍ଣ୍ଣାହୁତି କରାହୋଇଥାଏ | ପବିତ୍ର ନୃସିଂହନାଥ ପୀଠ ଠାରେ ଅବସ୍ଥିତ ବିନ୍ଧ୍ୟବାସିନୀ ଦେବୀଙ୍କ ଠାରୁ ବିଧିବିଧାନ ଅନୁସାରେ ଗାଁର ବିଂଝାଲ ଗୌନ୍ତିଆ ଙ୍କ ଉତ୍ତରାଧିକାରୀ ପୂଜାର୍ଚ୍ଚନା କରି ପାଇକମାଲର ଭଦ୍ରବ୍ୟକ୍ତି ମାନଙ୍କ ଗହଣରେ ମଙ୍ଗଳ ବାଦ୍ୟ ଯନ୍ତ୍ର ସହ ଅସ୍ତ୍ର ଶସ୍ତ୍ର ଆଣି ମାଙ୍କ ଠାରେ ଧାରଣ କରାଇଥାନ୍ତି | ଏହାକୁ ” ଵୈଳଭାର ” କୁହାଯାଏ |

ଦଶହରା ସମୟରେ ପାଇକମାଳ ଉତ୍ସବ ମୁଖର ହୋଇଯାଇଥାଏ | ବିଭିନ୍ନ ପ୍ରକାର ମନୋହାରୀ, ମିଷ୍ଟାନ୍ନ, ଚିନାବାଦାମ, ଚଣା, ବେଲୁନ ଦୋକାନ ରେ ପୂର୍ଣ୍ଣ ହୋଇଯାଏ ରାସ୍ତାର ଉଭୟ ପାର୍ଶ୍ୱ | ଷାଠିଏ ଦଶକରେ ଦଶହରାର ମୁଖ୍ୟ ଆକର୍ଷଣ ଥିଲା କାଠ ନିର୍ମିତ “ଲେହେଁଟି ଦୋଳି”, ରାମଲୀଳା, ଦଣ୍ଡ ନାଚ ଇତ୍ୟାଦି | କାଳକ୍ରମେ ପରିବର୍ତ୍ତନ ସହ ତାଳଦେଇ ଳେହେଟି ଦୋଳି ଓ ରାମଲୀଳା ପ୍ରାୟ ଲୋପ ପାଇଗଲାଣି | ସେହି ସ୍ଥାନରେ ନାଟକ, ଅପେରା, ଦଣ୍ଡନୃତ୍ୟ , ମହିଳା ଦଣ୍ଡ ନୃତ୍ୟ ମନୋରଞ୍ଜନ ଯୋଗାଇ ଆସୁଛି | ଗତ ପ୍ରାୟ ୨୦୦୮ ମସିହାରୁ ପାଇକମାଳ ଠାରେ ମା ଦୁର୍ଗାଙ୍କ ନବଦୁର୍ଗାଙ୍କ ପ୍ରସ୍ତର ପ୍ରତିମା ସ୍ଥାପନ କରାଯାଇଛି ଏବଂ ପ୍ରତ୍ୟେକ ବର୍ଷ ସେହିଦିନଠାରୁ ଏଠାରେ ପ୍ରଥମ ନବରାତ୍ର ରୁ ନବରାତ୍ର ପୂଜନୋତ୍ସବ କରାଯାଉଛି | ବର୍ତ୍ତମାନ ସମୟରେ ଦଶହରାରେ ନବରାତ୍ର ପୂଜନୋତ୍ସବ ସମୟରେ ମାଙ୍କ ମୃଣ୍ମୟୀ ମୂର୍ତ୍ତିର ନିର୍ମାଣ କରାଯାଇ ଏକା ସହିତ ଉଭୟ ପ୍ରତିମାଙ୍କ ପୂଜାର୍ଚ୍ଚନା କରାଯାଏ | ଦଶମୀ ତିଥିରେ ହୋମ ଯଜ୍ଞ ସହ ପୂର୍ଣ୍ଣାହୁତି ଦିଆଯାଇ ମୃଣ୍ମୟୀ ପ୍ରତିମାଙ୍କ ବିସର୍ଜନ କରାଯାଇଥାଏ | ଦଶହରା ସମୟରେ ସନ୍ଧ୍ୟାରେ ପ୍ରତ୍ୟେକ ଦିନ ସ୍ଥାନୀୟ ଶିଶୁ କଳାକାର ମାନଙ୍କ ଦ୍ୱାରା ବୁଗି ବୁଗି କାର୍ଯ୍ୟକ୍ରମ କରାଯାଇ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରାଯାଏ | ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ଘଣ୍ଟ ବାଦ୍ୟ, ଭଜନ ସନ୍ଧ୍ୟା, ଘୁଡୁକା ନାଚ, ଘୋଡା ନାଚ, ଚାଲ ଟିପା, ରାବଣ ପୋଡି, ନାଟକ, ଅପେରା, ଆଦି କରାଯାଇଥାଏ | ରାବଣ ପୋଡି ର ବାଣ ରୋଷଣୀ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥାଏ |

ପାଇକମାଲରେ ବିଭିନ୍ନ ଧର୍ମ, ସମ୍ପ୍ରଦାୟ, ଭାଷା ଓ ସଂସ୍କୃତିର ଲୋକ ବାସ କରିବା ସତ୍ୱେ ଦଶହରା ସମୟରେ ସମସ୍ତେ ଏକାଠି ହୋଇ ପୂର୍ଣ୍ଣ ସହଯୋଗ ସହକାରେ ଦଶହରାକୁ ସଫଳ କରିବାରେ ଲାଗିପଡନ୍ତି | ଯାହା ସାମ୍ପ୍ରଦାୟିକ ସୌହାର୍ଦ୍ୟ ଓ ଭାଇଚାରାର ଉତ୍ତମ ନିଦର୍ଶନ | ଦଶହରା ସମୟରେ ପୋଲିସ ଭାଇ ମାନଙ୍କ ସହଯୋଗ ଅତୁଳନୀୟ | ବିଦ୍ୟୁତ ବିଭାଗ ନିରବଚ୍ଛିନ୍ନ ଶକ୍ତି ଯୋଗାଣ କାର୍ଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି | ଏଠାକାର ବ୍ୟବସାୟୀ, ଚାଷୀ, କର୍ମଚାରୀ ମାନଙ୍କ ଅକୁଣ୍ଠ ସହଯୋଗ ଓ ପରିଶ୍ରମ ବଳରେ ଦଶହରା ପର୍ବ ଶାନ୍ତି ଶୃଙ୍ଖଳା ସହକରେ ପାଳିତ ହୋଇଆସୁଛି | ରାଜନୈତିକ ସଂକୀର୍ଣ୍ଣତାରୁ ଉର୍ଦ୍ଧରେ ରହି ଦଶହରା ପର୍ବ ଆସନ୍ତା ଦିନ ମାନଙ୍କରେ ଆହୁରି ଉତ୍ତରୋତ୍ତର କ୍ରମ ବର୍ଦ୍ଧିଷ୍ନୁତା ଲାଭ କରି ଅଂଚଳ ବାସୀଙ୍କୁ ମା ଙ୍କ କରୁଣା ଆଶୀର୍ବାଦ ଲାଭ କରାଇବାରେ ସହାୟକ ହେଉ ବୋଲି ଜଗତ ଜନନୀ ମା ଙ୍କ ଠାରେ ପ୍ରାର୍ଥନା |

ଅନିଲ କୁମାର କାଲିଆ
ଅବସର ପ୍ରାପ୍ତ ଓଡିଶା ଶିକ୍ଷା ଅଧିକାରୀ
ପାଇକମାଳ

Comments are closed.