ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୩୦/୧୨) : ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମିତବ୍ୟୟୀତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।
ବିଶ୍ୱ ମିତବ୍ୟୟୀତା ଦିବସ ଅବସରରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ର ଅର୍ଥନୈତିକ ବିକାଶରେ ସ୍ୱଳ୍ପ ସଞ୍ଚୟ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜନସାଧାରଣ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସେମାନଙ୍କର କଷ୍ଟଲବ୍ଧ ସମ୍ବଳକୁ ବିନିଯୋଗ କରି ଦେଶ ର ପ୍ରଗତିରେ ସହାୟତା ହେବା ସଙ୍ଗେ ସଙ୍ଗେ ଅଣସ୍ୱୀକୃତି ପ୍ରାପ୍ତ ତଥା ଚିଟଫଣ୍ଡ ସଂସ୍ଥା ପ୍ରତି ସାବଧାନ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତ ସଞ୍ଚୟ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାୟଗଡ଼ା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଅଧିକାରୀ ଧ୍ରୁବ କୁମାର ନାୟକ ଦିବସ ର ମହତ୍ୱ ଏବଂ ତାତ୍ପର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ସଚେତନତା ରଥଟି ଜିଲ୍ଲା ର କୋଲନରା, କଲ୍ୟାଣସିଂହପୁର, ରାମନାଗୁଡା ଓ ରାୟଗଡ଼ା ବ୍ଲକ ର ବିଭିନ୍ନ ଅଞ୍ଚଳ ଗୁଡିକ ପରିକ୍ରମା କରିବା ପୂର୍ବକ ମିତବ୍ୟୟୀତା ର ଆବଶ୍ୟକତା, ଅନାବଶ୍ୟକ ବ୍ୟୟର କୁପ୍ରଭାବ ତଥା ଚିଟ୍ଫଣ୍ଡ କମ୍ପାନୀ ଠାରୁ ଦୂରେଇ ରହିବା ନିମନ୍ତେ ଜନସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ନାୟକ କହିଥିଲେ ।
ଏହି ସଚେତନା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ଡାକ ଡିଭିଜନ ର ଅଧୀକ୍ଷକ ଭବାନୀ ପ୍ରସାଦ ପାଢୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକ, ସହାୟକ ଜିଲ୍ଲାପାଳ ଶ୍ରୀମତି ପୁଷ୍ପାଞ୍ଜଳୀ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ରାୟଗଡ଼ା ଉପଖଣ୍ଡ ଡାକ ନିରୀକ୍ଷକ ଏଲ.କେ. ସାଣ୍ଡ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଥଲ୍ ନିଳୋତ୍ପଳ ଷଡଙ୍ଗୀଙ୍କ ସମେତ ସାମ୍ବାଦିକ ବନ୍ଧୁ ଏବଂ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ବୃନ୍ଦ ଉପସ୍ଥିତ ରହିଥିଲେ ।