କାଠ ଖୁଣ୍ଟରେ ତାର ବାଡ ଦେଇ ଦାୟିତ୍ୱ ସାରିଦେଲେ ଜୁନାଗଡ ତହସିଲଦାର

0
191
କାଠ ଖୁଣ୍ଟରେ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା, (୨୭/୧୦) : କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ଅଞ୍ଚଳରେ ଥିବା ସରକାରୀ ଜମି ସବୁକୁ ଜୁନାଗଡ ତହସିଲଦାର ସୁରକ୍ଷା ଦେଇ ପାରୁ ନ ଥିବାର ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମରେ ବିସ୍ତୃତ ଚର୍ଚ୍ଚା ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଥିପ୍ରତି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । କିନ୍ତୁ କାଠ ଖୁଣ୍ଟରେ ତାର ବାଡ ଦେଇ ଜୁନାଗଡ ତହସିଲଦାର ଦାୟିତ୍ୱ ସାରିଦେଲେ ।WhatsApp Image 2022 10 27 at 10.35.51 PM କାଠ ଖୁଣ୍ଟରେ ତାର ବାଡ ଦେଇ ଦାୟିତ୍ୱ ସାରିଦେଲେ ଜୁନାଗଡ ତହସିଲଦାର

ଜୁନାଗଡ ତହସିଲଦାର ସାପ ମରିବ ନାହିଁ କି ବାଡି ଭାଙ୍ଗିବ ନାହିଁ ନୀତିରେ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ସରକାରୀ ଜମିରେ ଥିବା ପୁରୁଣା ତାର ବାଡ କୁ ଜବରଦଖଲକାରୀ ମାନଙ୍କ ଦ୍ୱାରା ମାଟି ପକାଇଥିବା ସ୍ଥାନରେ ସରୁ କାଠ ଖୁଣ୍ଟରେ ନାମକୁ ମାତ୍ର ତାର ବାଡ କରି ନିଜ ଦାୟିତ୍ୱ ସାରି ଦେଇଥିବା ଦେଖା ଯାଉଛି । ଅତି ପୁରୁଣା ତାର ବାଡ ଉପରେ ମାଟି ପକାଇଦେଇ ଭିତରେ ଥିବା ପ୍ରାଇଭେଟ ଜମିକୁ ଯିବା ପାଇଁ ରାସ୍ତା ତିଆରି କରୁଥିବା ଜବରଦଖଲକାରୀଙ୍କୁ ସୁହାଇବା ଭଳି ଏବଂ ଉଚ୍ଚ ପଦାଧିକାରୀଙ୍କ ଆଦେଶ ପାଳନ କରିବା ଭଳି କେବଳ ଦେଖାଣିଆ ଓ ଫାଇଲ ପତ୍ରରେ କାଗଜାତ କରିବା ପାଇଁ ସେଭଲି କରୁଥିବା ସାଧାରଣରେ ଆଲୋଚନା ହେଉଛି ।

ଅନ୍ୟ ପକ୍ଷରେ ବନାମାଳୀପୁର ନିକଟସ୍ଥ ପରୁଆଭାଡି ଡଙ୍ଗର ପାଦ ଦେଶରୁ ଦୀର୍ଘ ଦିନ ହେବ ଜମି ମାଫିଆ ମାନେ ମାଟି ଉଠାଇ ନେଉଥିବା ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ସେହିପରି ଡାକ ଘର ପାଖ ପୁରୁଣା ବସଷ୍ଟାଣ୍ଡ ଠାରୁ ପଶ୍ଚିମ ଦିଗକୁ ଏନ ଏଚ ଉପରେ ଅଳ୍ପ ଦୂରରେ ବାମ ପାର୍ଶ୍ଵରେ ଥିବା ସରକାରୀ ଅନାବାଦି ଜମି ଜୁନାଗଡ ନଜୁଲ ସିଟ ନଂ-୧ ଅନ୍ତର୍ଗତ ପ୍ଲଟ ନଂ ୧୨୯୭ କିମ୍ବା ୧୨୯୮ ଜମିକୁ ଜମି ମାଫିଆ ମାନେ ଦାଖଲ କରି ଭିତରେ ଥିବା ପ୍ରାଇଭେଟ ଜମିରେ ମାଟି ପକାଇ ଘର ଉପଯୋଗୀ କରୁଥିବା ଏବଂ ସେହି ଜମିକୁ ପ୍ରାୟ ଦଶ କୋଟି ଟଙ୍କାରେ ବିକ୍ରି କରୁଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।

ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଜମି ଦାଖଲ କରି ରାସ୍ତା ନିର୍ମାଣ କଲେ ହିଁ ଭିତରେ ଥିବା ଜମି ର ମୂଲ୍ୟ ବୃଦ୍ଧି ହେବ ଅନ୍ୟଥା ଜାତୀୟ ରାଜପଥ କୁ ସିଧାସଳଖ ରାସ୍ତା ନହେଲେ ଭିତରେ ଥିବା ଜମି ର ମୂଲ୍ୟ ବୃଦ୍ଧି ହୋଇ ପାରିବ ନାହିଁ । ନବେ ଦଶକରେ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ସେହି ଜମି ଉପରେ ଏକ ଜଗନ୍ନାଥ ମନ୍ଦିର ଥିଲା ଏବଂ ସରକାରୀ ଜମି ଉପରେ ଥିବା ହେତୁ ତତ୍କାଳୀନ ତହସିଲଦାର ଜଗନ୍ନାଥ ମହାନ୍ତି ଉକ୍ତ ଜଗନ୍ନାଥ ମନ୍ଦିର କୁ ଭଙ୍ଗାଇ ଦେଇଥିଲେ । ହେଲେ ବର୍ତ୍ତମାନ ର ତହସିଲଦାର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ସେହି ସରକାରୀ ଜମିକୁ ସୁରକ୍ଷା ଦେବା ବଦଳରେ ମାଫିଆ ମାନଙ୍କୁ ସୁହାଇବା ପାଇଁ ନୀରବ ରହୁଥିବା ଦେଖାଯାଉଛି ।

ଏଠାରେ କୁହା ଯାଇପାରେ ଯେ ଯଦିଓ ରାଜପଥ ପାର୍ଶ୍ୱସ୍ଥ ଉକ୍ତ ଜମି କୁ ଅକ୍ତିଆର କରାଯାଇ ନ ଥିଲେ ଭିତରେ ଥିବା ପ୍ରାଇଭେଟ୍ ଜମି ର ବଜାର ମୂଲ୍ୟ ନଗଣ୍ୟ ଏବଂ ଉକ୍ତ ସରକାରୀ ଜମିକୁ ଜବରଦଖଲ କରି ରାସ୍ତା କଲେ ହିଁ ଭିତରେ ଥିବା ଜମି ର ବଜାର ମୂଲ୍ୟ ବହୁ ଗୁଣରେ ବଢି ଯାଉଛି । ହୁଏତ ସରକାରୀ ଜମି ୧୦ କିମ୍ବା ୨୦ ଡିଶିମିଲ ହୋଇଥାଇପାରେ କିନ୍ତୁ ସେଠାରେ ସର୍ବ ସାଧାରଣ ଙ୍କ ପାଇଁ ଥିବା ମନ୍ଦିର ଥିବାବେଳେ ତାହା ଅତୀତରେ ଭଙ୍ଗା ଯାଇଥିଲା ।

ବର୍ତ୍ତମାନ ସେହି ଜମିକୁ ମାଫିଆ ମାନେ ଜବରଦଖଲ କରି ସେହି ଜମି ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରିବାର ଯୋଜନା କରିଛନ୍ତି ଏବଂ ଏହି କାରବାରରେ ଜୁନାଗଡ ତହସିଲଦାର ନୀରବ ଦ୍ରଷ୍ଟା ହୋଇଥିବାରୁ ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ଏ ସମ୍ପର୍କରେ ଜୁନାଗଡ ତହସିଲଦାର ନୀରବ ରହୁଥିବା ବେଳେ ସରକାରୀ ଜମି ସରକାରୀ ଖାତାରେ ହିଁ ରହିଛି ବୋଲି ବୁଝାଇବାକୁ ଚେଷ୍ଟା କରି ପରୋକ୍ଷରେ ଜମି ମାଫିଆ ମାନଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି ।

ସେହି ଅଞ୍ଚଳରେ କମ୍ୟୁନିଟି ହଲ, ଶୌଚାଲୟ ତଥା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜୁନାଗଡ ଏନ ଏ ସି ଜମି ଖୋଜୁଥିବା ବେଳେ ସେହି ସରକାରୀ ଜମିକୁ କାହିଁକି ଦିଆଯାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହି ଜମିରେ ରାସ୍ତା ନିର୍ମାଣ କଲେ ମାଫିଆମାନେ ମାଲେମାଲ ହେଉଥିବା ବେଳେ ତହସିଲଦାର ନୀରବ ଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି ।