Related Contents

ଆମ ଜଙ୍ଗଲ ଯୋଜନାରେ କର୍ମଚାରୀଙ୍କ ପ୍ରାପ୍ୟ ଆତ୍ମସାତ ଅଭିଯୋଗ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା (୦୨/୧୦): ଲୋଇସିଂହା ଫରେଷ୍ଟ ରେଞ୍ଜରେ ଆମ ଜଙ୍ଘଲ ଯୋଜନାରେ କର୍ମଚାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ତା ପୁଣି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା । ଏ ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ସେମାନେ ସ୍ଥାନୀୟ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାଯାଇଛି। ସୂଚନା ମତେ , ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧିନ ଆଡେନଡୁଙ୍ଗୁରି, ଧଉରାଦଦର ଓ ଛାଏଛପର ଫରେଷ୍ଟ ବିଟରେ ଆମ ଜଙ୍ଗଲ ଯୋଜନାରେ ଜଗୁଆଳି ନିଯୁକ୍ତି ହୋଇଥିବା ବେଳେ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ଏନିମେଟର ମାନେ କାର୍ଯ୍ୟ କରୁଛନ୍ତି ।

ତେବେ ଧଉରାଦଦର ବିଟରେ ଜଗୁଆଳି ଭାବେ କାର୍ଯ୍ୟରତ ଶ୍ରବଣ ବିଶ୍ୱାଳ ଗତ ୪ ମାସ ହେଲା ତାଙ୍କ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ କରିଛନ୍ତି । ଗତ ୨୦୧୮ ନଭେମ୍ବର ଓ ଡ଼ିସେମ୍ବର ତଥା ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀ ମାସର ପ୍ରାପ୍ୟ ଚଂଚକତା ପୂର୍ଣ ଭାବେ ମିଥ୍ୟା ଭାଉଚର କରି ସ୍ଥାନୀୟ ଫରେଷ୍ଟର ଆତ୍ମସାତ କରିଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଏନିମେଟର ଗିରିଧାରୀ ବିଶ୍ବାଳଙ୍କ ୨୫ ମାସ, ଦ୍ରୋଣାଚାର୍ୟ୍ଯ ନାୟକଙ୍କ ୩୦ ମାସ, ବାସୁଦେବ ରାଏଙ୍କ ୨୯ ମାସ, ଡୋଲାମଣି ବଗର୍ତ୍ତିଙ୍କ ୨୮ ମାସର ପ୍ରାପ୍ୟ ସମେତ ବହୁ ଏନିମେଟରଙ୍କ ମାସାଧିକ କାଳର ପ୍ରାପ୍ୟ ବାକି ରହିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ନର୍ସରୀ ସ୍ଥାପନ ପାଇଁ ଭଡା ସୂତ୍ରରେ ଦେଇଥିବା ବାଦୀଵାହାଲ ପଂଚାୟତ ଭାଲୁପାଳି ଗ୍ରାମର ମନୋରଞ୍ଜନ ବାବୁ ମଧ୍ୟ ଗତ ୨୦୧୭ ମସିହାରୁ ତାଙ୍କ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ କରିଛନ୍ତି । ଏପରିକି ଚାରା ତିଆରି ଉଦେଶ୍ୟରେ ତାଙ୍କ ଜମି ଲିଜ ସୂତ୍ରରେ ନିଆଯାଇଥିଲେ ହେଁ ଅଦ୍ୟାବଧି ରୋପୀତ ଚାରା ଉଠା ଯାଇ ନ ଥିବାରୁ ସେଗୁଡିକ ଗଛରେ ପରିଣତ ହୋଇଥିବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ଦାୟିତ୍ୱରେ ଥିବା ଫରେଷ୍ଟର ଖଗେଶ୍ୱର ଜେନାଙ୍କୁ ମଧ୍ୟ ବଲାଂଗୀର ମୁଖ୍ୟାଳୟକୁ ବଦଳି ହୋଇ ଯାଇଥିବା ଜଣାଯାଇଛି । ଅଭିଯୋଗ ସମ୍ପର୍କରେ ଫରେଷ୍ଟର ଶ୍ରୀ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ହେ ତାଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା । ରେଞ୍ଜ ଅଧିକାରୀ ରାଜକିଶୋର ନାୟକଙ୍କୁ ଏ ବାବଦରେ ପଚାରିବାରୁ ଅର୍ଥ ତୋଷରପାତ ଅଭିଯୋଗକୁ ସ୍ୱୀକାର କରିବା ସହିତ ସେ ବାବଦରେ ବିଭାଗୀୟ ଡିଏଫଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ଦେଇଥିଲେ ।

Comments are closed.