Tuesday, March 19, 2024

Top 5 This Week

Related Posts

ଭୋପାଲରେ ଗ୍ୟାସ୍‌ ଟ୍ରାଜେଡି : କିଏ ଅଣନିଶ୍ୱାସ ତ କିଏ ବେହୋସ ହେଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୋପାଲ, (୨୭/୧୦) : ମଧ୍ୟପ୍ରଦେଶ ର ରାଜଧାନୀ ଭୋପାଲରେ ୨୮ ବର୍ଷ ପରେ ପୁଣି ଥରେ ହୋଇଛି ଗ୍ୟାସ୍‌ ଟ୍ରାଜେଡି । ଏଥି ନିମନ୍ତେ ଲୋକେ ଖୁବ୍‌ ଭୟଭୀତ ହୋଇ ପଡ଼ିଛନ୍ତି । ଭୋପାଲ ର ଏକ ୱାଟର ଫିଲଟର ପ୍ଲାଣ୍ଟରୁ ନିର୍ଗତ କ୍ଲୋରିନ ଗ୍ୟାସ୍‌ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଜଣାଯାଇଛି ।

ଭୋପାଲରେ ପୁଣି ଗ୍ୟାସ୍‌ ଟ୍ରାଜେଡି ! ଭୋପାଲ ର ମଦର ଇଣ୍ଡିଆ କଲୋନୀ ବସ୍ତି ନିକଟରେ ଥିବା ଏକ ୱାଟର ଫିଲଟର ପ୍ଲାଣ୍ଟରୁ ବୁଧବାର ରାତିରେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଥିଲା । ପ୍ଲାଣ୍ଟରେ ଲାଗିଥିବା ୯ ଶହ କେଜି ସିଲିଣ୍ଡରରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏପରି ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାଯାଇଛି । ଏହି ଗ୍ୟାସ୍‌ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିବା ବେଳେ ନିକଟରେ ଥିବା ଲୋକେ ଅସ୍ୱସ୍ତିକର ଅନୁଭବ କରିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ ବହୁ ଜଣ ବେହୋସ ହୋଇ ପଡ଼ିଥିବା ବେଳେ ବହୁ ଜଣଙ୍କ ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଏପରିକି କେତେ ଜଣ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ।

ଖବର ପାଇ ତୁରନ୍ତ କଲେକ୍ଟର, ନିଗମ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ୩ ଅସୁସ୍ଥଙ୍କୁ ହସ୍ପିଟାଲ ପଠାଇଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି । ନିଗମ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଖୋଜି କରାଯାଇ ନିକଟରେ ଥିବା ୱାଟର ଫିଲଟର ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଲା । ତତ୍‌କ୍ଷଣାତ ଏକ କ୍ରେନ୍‌ ସାହାଯ୍ୟରେ ଉକ୍ତ ସିଲିଣ୍ଡରକୁ ପାଣିରେ ପକାଇ ଦିଆଗଲା ।

ସେଥିରେ ୫ କେଜି କାଷ୍ଟିକ ସୋଡା ପକାଇ ଉକ୍ତ ଲିକେଜକୁ ବନ୍ଦ କରାଯାଇଥିବା ଜଣାଯାଇଛି । ଗ୍ୟାସ୍‌ ସିଲିଣ୍ଡରକୁ ଟାଙ୍କିରେ ପକାଇବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଟାଙ୍କିରୁ ପାଣି ସପ୍ଲାଏ ବନ୍ଦ କରି ଦିଆଯାଇଛି । ଏହି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଟ୍ୱିଟ କରି କହିଛନ୍ତି ।

ଏହି ଘଟଣା ର ବିସ୍ତୃତ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗକୁ ଯେପରି ଏପରି ଘଟଣା ନ ଘଟେ ସେଥିନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଉଠାଯିବ ବୋଲି ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ପ୍ରାୟ ୨୮ ବର୍ଷ ପୂର୍ବେ ୧୯୮୪ ମସିହାରେ ଭୋପାଳରେ ହୋଇଥିବା ଗ୍ୟାସ୍‌ ଟ୍ରାଜେଡିରେ ବହୁ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣା ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ଏପରି ଏକ ଘଟଣା ଯୋଗୁଁ ଭୋପାଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି ।

Popular Articles