ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପରିବାର ଆଣିଲା ହତ୍ୟା ଅଭିଯୋଗ

0
215
ହଷ୍ଟେଲରୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନିଆଳି, (୨୫/୧୦) : ଗତକାଲି ସମଗ୍ର ଦେଶରେ ଦୀପାବଳି ଯୋଗୁଁ ବେଶ୍‌ ହସ ଖୁସି ର ପରିବେଶ ଥିବା ବେଳେ କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ଜନିତ ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ କିନ୍ତୁ ଆଣିଛନ୍ତି ହତ୍ୟା ଅଭିଯୋଗ । ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଅଡ଼ଶପୁର ଠାରେ ଏକ ଘରୋଇ ହଷ୍ଟେଲରେ ରହି ଯୁକ୍ତ ୩ ତୃତୀୟ ବର୍ଷ ପାଠ ପଢ଼ୁଥିଲେ । ସେ ୨୦୨୦ ମସିହାରୁ ଏହି ହଷ୍ଟେଲରେ ରହୁଥିଲେ ।

ଗତକାଲି ଦୀପାବଳି ପାଇଁ ହଷ୍ଟେଲ ର ସବୁ ଛାତ୍ରୀ ବେଶ୍‌ ଖୁସି ଥିବାବେଳେ ସନ୍ଧ୍ୟାରେ ସମସ୍ତେ ବାଣ ଫୁଟାଇବାକୁ ଛାତକୁ ଯାଇଥିଲେ । ମାତ୍ର ସମ୍ପୃକ୍ତ ଛାତ୍ରୀ ଜଣକ ଦେହ ଭଲ ଲାଗୁ ନ ଥିବା କହି ରୁମ୍‌ରେ ରହିଥିଲେ । ପିଲାମାନେ ବାଣ ଫୁଟାଇ ଆସି ସମ୍ପୃକ୍ତ ଛାତ୍ରୀଙ୍କୁ ଖୋଜିବାରୁ ଏକ ରୁମ୍‌ର ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଲେ । ଏହାପରେ ଝରକା ଫାଙ୍କରେ ଭିତରକୁ ଅନାଇ ଛାତ୍ରୀ ଜଣକ ଝୁଲୁଥିବା ଦେଖିବାକୁ ପାଇଲେ ।

ଏ ନେଇ ପୁଲିସ୍‌କୁ ଖବର ଦିଆଯିବାରୁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଅଡଶପୁରରେ ପହଞ୍ଚିଥିବା ବେଳେ ଝିଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାଁନ୍ତି । ଝିଅ ର ମୃତ୍ୟୁ ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସେ କହିଛନ୍ତି ।

ଏ ନେଇ ମୃତ ଛାତ୍ରୀଙ୍କ ସମ୍ପର୍କୀୟ କହିଛନ୍ତି, ଗତକାଲି ହଷ୍ଟେଲ କର୍ତ୍ତୃପକ୍ଷ ଘରକୁ ଫୋନ୍‌ କରି ତୁମ ଝିଅ ମିସିଂ ଥିବା କଥା କହିଲେ । ଆମେ ସଙ୍ଗେ ସଙ୍ଗେ ଏଠାରେ ପହଞ୍ଚିବା ପରେ ଝିଅ ମରିଥିବା ସେ କହିଥିଲେ । ହେଲେ ଏଠାରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତିରୁ ଆମ ଝିଅକୁ ହତ୍ୟା କରାଯାଇଥିବା ଅନୁମାନ କରୁଛୁ । ଏ ନେଇ ଥାନାରେ ହଷ୍ଟେଲ ମାଲିକ, ତାଙ୍କ ପତ୍ନୀ ୩ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛୁ ।