୧୨ ଘଣ୍ଟା ରେ ଭୀଷଣ ବାତ୍ୟା ର ରୂପ ନେବ ‘ସିତ୍ରାଙ୍ଗ’

0
207
୧୨ ଘଣ୍ଟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୧୦) : ବାତ୍ୟା ‘ସିତ୍ରାଙ୍ଗ’ ବର୍ତ୍ତମାନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଜାରି କରାଯାଇଛି ।

ପାଣିପାଗ ସୂଚନା ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ଘଣ୍ଟା ପ୍ରତି ୧୨ କିମି ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗୋଟିଏ ଭୀଷଣ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି । ଏହା ବର୍ତ୍ତମାନ ସାଗର ଦ୍ଵୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ ୫୦୦ କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ।

ଏହା ଆସନ୍ତା କାଲି ସକାଳ ସୁଦ୍ଧା ବାଂଲାଦେଶ ର ତିନ୍‌କୋନାଓ ସାନଦ୍ୱୀପ ଅଞ୍ଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ । ବାତ୍ୟା ପ୍ରଭାବରେ ଆଜି ଓଡ଼ିଶା ର ୬ ଟି ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

ଉପକୂଳ ଓଡ଼ିଶାରେ ପବନ ର ବେଗ ଘଣ୍ଟାପ୍ରତି ୩୫ ରୁ ୪୫ କିଲୋମିଟର ରହିପାରେ । ସିତ୍ରାଙ୍ଗ ପାଇଁ ରାଜ୍ୟ ର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।