ଚାଉଳ ଓ କିରୋସିନ ନେଇ ଘଞ୍ଚ ଜଙ୍ଗଲରେ ପହଞ୍ଚିଲା ପ୍ରଶାସନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୯/୦୯): ଘଞ୍ଚ ଜଙ୍ଗଲରେ ଅସହାୟ ଦମ୍ପତିଙ୍କ ଦୟନୀୟ ଜୀବନ ଘଟଣାର ଖବର ପ୍ରସାରଣ ପରେ ପ୍ରଶାସନ ଚାଉଳ ଓ କିରୋସିନ ନେଇ ଜଙ୍ଗଲରେ ପହଞ୍ଚିଥିବା ଖବର ଅଛି | ବୈପାରୀଗୁଡା ବିଡ଼ିଓ ରଜନୀକାନ୍ତ ଦାସଙ୍କ ନିର୍ଦେଶ କ୍ରମେ ଯୋଗାଣ ନିରିକ୍ଷୀକା ମମତା ବେହେରା ଏକ ଟିମ ଜଙ୍ଗଲକୁ ପଠେଇଥିଲେ |

ସେହି ଟିମରେ ଯୋଗାଣ ସହାୟିକା ସୁମିତ୍ରା ପାତ୍ର, ସ୍ଥାନୀୟ ୱାର୍ଡ ମେମ୍ବର ଡୋମାଇ ଖିଲଙ୍କ ସ୍ୱାମୀ, କିଛି ସ୍ବେଛାସେବୀ ଥିଲେ | ସେମାନେ ସାଥିରେ ଚାଉଳ ଗୋଟିଏ ପକେଟ, ଚାରି ଲିଟର କିରୋସିନ, ଆଳୁ, ଡାଲି, ପରିବା ନେଇ ଜଙ୍ଗଲରେ ରହୁଥିବା ଦୁଇ ଦମ୍ପତିଙ୍କୁ ଦେଇ ଆସିଥିଲେ | ଯୋଗାଣ ନିରିକ୍ଷୀକା କହିବା ଅନୁଯାୟୀ ପ୍ରଥମେ ଜରୁରୀ ଦୃଷ୍ଟିରୁ ଚାଉଳ ଓ କିରୋସିନ ଯୋଗାଇ ଦିଆଯାଇଛି ଯଦି ସେହି ଦୁଇ ଦମ୍ପତିଙ୍କ ପରିବାର ରାସନ କାର୍ଡ ନାହିଁ ଅତିଶୀଘ୍ର ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି | ସୂଚନା ଥାଉକି ଗତ ଚାରି ମାସ ପୂର୍ବେ ଲଗାଣ ବର୍ଷା ଲାଗି ରାଉଲିଗୁଡା ଗ୍ରାମର ସମୁଲୁ ଖିଲଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ପ୍ରଶାସନ ସହାୟତା ମିଳିଲା ନାହିଁ | ନିରୀହ ଆଦିବାସୀ ନିରକ୍ଷର ସାଙ୍ଗକୁ ଅର୍ଥ ଅଭାବ ଯୋଗୁଁ ନିଜର ଘର ସଜାଡି ନ ପରି ହତାଶ ହୋଇଥିଲେ | ପୁଣି ତାଙ୍କ କୁଲି କାର୍ଡ, ଭୋଟ କାର୍ଡ ଓ ରାଶନ କାର୍ଡ କେହି ଜଣେ ନେଇଛନ୍ତି, ତେଣୁ ସେମାନଙ୍କୁ ତିନି ମାସ ହେଲେ ଚାଉଳ ମିଳିନାହିଁ ବୋଲି ଦମ୍ପତି ପ୍ରକାଶ କରିଛନ୍ତି | ଏପଟେ ସମୁଲୁଙ୍କ ଆର୍ଥିକ ଅଭାବ ପୁଣି ସେପଟେ ସରକାରୀ ସାହାଯ୍ୟ ଆଶା ମଉଳି ଗଲା | ବାଧ୍ୟ ହୋଇ ଶେଷରେ ମଙ୍ଗଳାଙ୍କ ଦୁଇ ପୁଅ ଖିଲ (୧୨),ରସୁ ଖିଲ (୭)ଙ୍କୁ ନିଜ ଗାଁ ରାଉଲିଗୁଡାରେ ନିଜ ସମ୍ପକୀୟ ଘରେ ଛାଡିଦେଇ ସ୍ତ୍ରୀ ଜୁଲୁକା ଖିଲଙ୍କୁ ସାଙ୍ଗରେ ନେଇ ଗାଁ ନିକଟରେ ଥିବା ଜଙ୍ଗଲକୁ ଚାଲିଗଲେ |ଏବେ ସେହି ଜଙ୍ଗଲରେ ଛୋଟ କୁଡ଼ିଆରେ ରହିଥିବା ବେଳେ ଆବଶ୍ୟକ କାଠ ଯୋଗାଡ଼ କରି ଘର ନିର୍ମାଣ ପ୍ରକ୍ରିୟା ଆରମ୍ବ କରିଥିବା ଦେଖିବାକୁ ମିଳିଛି |

Comments are closed.