ଗରିବ ସେନା ତରଫରୁ ହେବ ବ୍ଲକ୍ ଘେରାଉ

0
259
ଗରିବ ସେନା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, ତା (୨୧/୧୦) : ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗଙ୍କ ସଭାପତିତ୍ୱରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ମୀଳନୀରେ ଟିଟିଲାଗଡ଼ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ୨୦ ଟି ସମସ୍ୟାକୁ ନେଇ ବ୍ଲକ ଘେରାଉ କରାଯିବା ନେଇ ସୂଚନା ଦିଆଯାଇଛି । ଏଠାରେ ଗୋଟିଏ ପ୍ରଶ୍ନ ଉଠେ ଯେ ରାଜ୍ୟ ସରକାରଙ୍କ 5T ଯାହାକି ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜାଣି ମଧ୍ୟ ଟିଟିଲାଗଡ଼ ବ୍ଲକରେ ଏହା କରୁଛି କିଏ ? ତା’ ସହିତ ଇୟେ ହେଉଛି ଖୁଦ୍ କେବିନେଟ୍ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ନିଜ ସହର, ନିଜ ନିର୍ବାଚନ ମଣ୍ଡଳୀ ଏବଂ ନିଜ ବ୍ଲକରେ ଏତେ ଦୁର୍ନୀତି ହେଉଛି ଯେ ଏଠାକାର ସ୍ଥାନୀୟ ସଙ୍ଗଠନ ଗରିବ ସେନା ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରାଉ କରିବାକୁ ଅଣ୍ଟା ଭିଡ଼ି ଜନସାଧାରଣଙ୍କୁ ତାଙ୍କର ହକ ଦେବା ପାଇଁ ସଜବାଜ ହେଉଛନ୍ତି ।

ଗରିବ ସେନା ର ଅଭିଯୋଗ ଅନୁସାରେ ଯଦି ରାଜ୍ୟ ସରକାରଙ୍କ ଦ୍ଵାରା 5T ର ନଗ୍ନ ରୂପ ଏହି ବ୍ଲକ ର ଦୁର୍ନୀତି ର ପର୍ଦ୍ଦାଫାଶ କଲେ ହିଁ ଜଣାପଡ଼ିବ । ଏହି ସାମ୍ୱାଦିକ ସମ୍ମିଳନୀରେ ବ୍ଲକରେ ଦୁର୍ନୀତି ବିରୋଧରେ ଉଲ୍ଲେଖ କରାଯାଇଛି । ଏଥିରେ ଦୁଇଟି ଦିଗ ରହିଛି ଯାହାକି ଦୁଇ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଗୋଟିଏ ହେଲା ବ୍ଲକ କର୍ମଚାରୀ ଓ ଅନ୍ୟଟି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା । ପ୍ରତି କାମରେ ୧୮ ପ୍ରତିଶତ କାରବାର ର ସହରରେ ଚର୍ଚ୍ଚା ହେଉଥିବା ବେଳେ ଯଦି ଏହା ସତ ତାହେଲେ ବ୍ଲକରେ ପିସି ନେଉଛି କିଏ ? କେତେ ପ୍ରତିଶତ କିଏ କିଏ ନେଉଛନ୍ତି ? ଏହି ପିଶି କାରବାରରେ କିଏ କିଏ ସଂପୃକ୍ତ ? ବ୍ଲକ ଅଧିକାରୀ ଓ କର୍ମଚାରୀଙ୍କ ସହ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଇୟେ ସିଧାସଳଖ ଆକ୍ଷେପ ଗରିବ ସେନା ର । ଯଦି ସରକାରୀ ଯୋଜନାରେ ସରକାରୀ କର୍ମଚାରୀ ମୋଟା ଅଙ୍କର ଦରମା ପାଇ ମଧ୍ୟ ଲାଞ୍ଚ ନେଉଛନ୍ତି ତା’ହେଲେ ସରକାରଙ୍କ 5T କାହା ପାଇଁ ?

ଜିରୋ ଟୋଲରେନ୍ସ୍ ନାମରେ ହରିଲୁଟ ତଥା ଅସହାୟ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ଉଠାଇଛନ୍ତି ଗରିବ ସେନା ସଦସ୍ୟ ମାନେ । ଉଦାହରଣ ସ୍ୱରୂପ ଆଠ ବର୍ଷ ହେଲାଣି ଜଣେ ମହିଳା ଆଜି ଯାଏଁ ବିଧବା ଭତ୍ତା ପାଇବାରୁ ବଞ୍ଚିତ, ତା’ହେଲେ ସରକାର କାହା ପାଇଁ ଯୋଜନା ଆଣୁଛନ୍ତି ? ସେହିପରି ଜଣେ ସମିତି ସଭ୍ୟ ମଧ୍ୟ ଆକ୍ଷେପ କରି କହିଥିଲେ ଯେ ଯେତେବଳେ ବି କିଛି କାମ ପାଇଁ ଗଲେ ସରକାରୀ ସାଇଟ ବନ୍ଦ ଥିବା ନ ଖୋଲିବା ଉତ୍ତର ପାଉଛନ୍ତି କି ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଉ ନାହିଁ କହିବା ସହ ବ୍ଲକ ଉପାଧ୍ୟକ୍ଷା ଜଗତ ରାମ ରଣା ଙ୍କୁ ନିଜ ପଞ୍ଚାୟତରେ କି ବ୍ଲକରେ ବି ଚଉକି ଖଣ୍ଡେ ମିଳେ ନାହିଁ ବୋଲି କହିଥିଲେ । ତେବେ ପଞ୍ଚାୟତ ପ୍ରତିନିଧି, ସମିତି ସଭ୍ୟ ମାନଙ୍କୁ ମନ୍ତ୍ରୀ ନିଜେ ଚୟନ କରିବା ସହ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କୁ ଗାଦିରେ ବସାଇଲେ, ଏବେ ଯାହା ବି ବ୍ଲକରେ ଦୁର୍ନିତି କୁହାଯାଉଛି ତାହା କ’ଣ ତାଙ୍କ ଦ୍ଵାରା ଚୟନ ହୋଇଥିବା ପ୍ରତିନିଧିଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉନି କି ?

ସରକାରୀ ସ୍ତରରେ ବ୍ଲକ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ସଂଶ୍ଳିଷ୍ଟ ବୋଲି ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ଜରୁରି ଅଟେ । ରାଜ୍ୟ ସରକାରଙ୍କ ସ୍ୱଚ୍ଛଳ ଭାବମୂର୍ତ୍ତିରେ କଳଙ୍କିତ କରୁଥିବା ଅଧିକାରୀ/ ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ଉପରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ରହିଲା । ଆସନ୍ତା ୨୮ ତାରିଖରେ ବ୍ଲକ ଘେରାଉ କରିବା ସହ ଯିଏ ଯିଏ ଦୁର୍ନୀତିରେ ସମ୍ପୃକ୍ତ ସେହିଦିନ ଏହାର ଖୁଲାସା କରିବେ ବୋଲି ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ସୁଚନା ଦେଇଛନ୍ତି ।

ପ୍ରତି ଦୁଇ ମାସରେ ଥରେ ବୈଠକ ଡାକି ସମିତି ମାନଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବା କଥା କିନ୍ତୁ ତାହା ହେଉନି, ଯଦ୍ୱାରା ଏହି ଦୁର୍ନିତୀ ହେଉଥିବା ନେଇ ଏବେ ସହରରେ ଚର୍ଚ୍ଚା ଜୋର ଧରିଛି । ତେବେ ସେ ଯାହା ବି ହେଉ ଗରିବ ସେନା ବ୍ଲକ ଘେରାଉ କରିବାକୁ ଆହ୍ୱାନ ଦେଇଥିବା ବେଳେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର ଦେଖିବାକୁ ରହିଲା ।