Related Contents

ଅସହାୟ ଦମ୍ପତିଙ୍କ ଘଞ୍ଚ ଜଙ୍ଗଲରେ ଘର ନିର୍ମାଣ, ତିନି ମାସ ହେଲା କଟୁଛି ଦୟନୀୟ ଜୀବନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୮/୦୯): ଆଜିର ଡିଜିଟାଲ ଇଣ୍ଡିଆରେ ଅସହାୟ ଦମ୍ପତିଙ୍କ ଜଙ୍ଗଲ ଭିତରେ ବଡ଼ ଦୟନୀୟ ଭାବେ ଜୀବନ କଟୁଥିବା ଘଟଣା ଏବେ ସାମ୍ନାକୁ ଆସିଛି | ଘଞ୍ଚ ଜଙ୍ଗଲ ମଧ୍ୟରେ ନଦୀ କୁଳରେ ଅଳ୍ପ କିଛି ସମତଳ ସ୍ଥାନରେ ଦୁଇ ଫୁଟ ଉଚ୍ଚ ଓ ଆଠ ଫୁଟ ଲମ୍ବର ଝାଟିମାଟି କାଠରେ ତିଆରି ଘର ପୁଣି ଫଟା ଜରି ଛପର, ଏହିପରି ଏକ ଛୋଟ କୁଡ଼ିଆରେ ରହୁଛନ୍ତି ଦୁଇ ପ୍ରାଣୀର ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି |

ସେହି ଘର ଭିତରରେ ଆଶ୍ରୟ ନେବାକୁ ଯିବାକୁ ହେଲେ ଘୁରୁଣ୍ଡି ଘୁରୁଣ୍ଡି ଯାଆନ୍ତି, ସେହି କୁଡ଼ିଆ ଭିତରେ ଅଛି ଚୁଲି, ଦୁଇଖଣ୍ଡ ପଠାର ତିଆରି ହୋଇଛି ଶୋଇବା ପାଇଁ ସେଜ | ଦିନ ତମାମ ସଂଗ୍ରହ କରିଥିବା ଜଙ୍ଗଲୀ ଦ୍ରବ୍ୟରେ ସେମାନଙ୍କ ଭୋକ ମେଂଟୁଛି | ତିନି ମାସ ହେଲା ଭାତ ମୁଠାଏ ଦେଖିନାହାନ୍ତି | ସୂର୍ଯ୍ୟ ଅସ୍ତ ପରେ ଦୁହେଁ କେହି କାହାକୁ ଦେଖି ପାରନ୍ତି ନାହିଁ | ପୁଣି ରାତି ପାହିଲେ ପେଟ ପାଇଁ ଚିନ୍ତା | ଏହିପରି ହୁଦୟ ବିତାରକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ରାଉଲିଗୁଡା ଗ୍ରାମ ନିକଟ ଜଙ୍ଗଲରେ |

ଗତ ଚାରି ମାସ ପୂର୍ବେ ଲଗାଣ ବର୍ଷା ଲାଗି ରାଉଲିଗୁଡା ଗ୍ରାମର ସମୁଲୁ ଖିଲଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ପ୍ରଶାସନ ସହାୟତା ମିଳିଲା ନାହିଁ | ପୁଣି ତାଙ୍କ କୁଲି କାର୍ଡ, ଭୋଟ କାର୍ଡ ଓ ରାଶନ କାର୍ଡ କେହି ଜଣେ ନେଇଛନ୍ତି, ତେଣୁ ସେମାନଙ୍କୁ ତିନି ମାସ ହେଲେ ଚାଉଳ ମିଳିନାହିଁ ବୋଲି ଦମ୍ପତି ପ୍ରକାଶ କରିଛନ୍ତି | ଏପଟେ ସମୁଲୁଙ୍କ ଆର୍ଥିକ ଅଭାବ ପୁଣି ସେପଟେ ସରକାରୀ ସାହାଯ୍ୟ ଆଶା ମଉଳି ଗଲା | ବାଧ୍ୟ ହୋଇ ଶେଷରେ ମଙ୍ଗଳାଙ୍କ ଦୁଇ ପୁଅ ଖିଲ (୧୨), ରସୁ ଖିଲ (୭)ଙ୍କୁ ନିଜ ଗାଁ ରାଉଲିଗୁଡାରେ ନିଜ ସମ୍ପର୍କୀୟ ଘରେ ଛାଡିଦେଇ ସ୍ତ୍ରୀ ଜୁଲୁକା ଖିଲଙ୍କୁ ସାଙ୍ଗରେ ନେଇ ଗାଁ ନିକଟରେ ଥିବା ଜଙ୍ଗଲକୁ ଚାଲିଗଲେ | ଏବେ ସେହି ଜଙ୍ଗଲରେ ଛୋଟ କୁଡ଼ିଆରେ ରହିଥିବା ବେଳେ ଆବଶ୍ୟକ କାଠ ଯୋଗାଡ଼ କରି ଘର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥିବା ଦେଖିବାକୁ ମିଳିଛି | ଆମ ପ୍ରତିନିଧି ଜଙ୍ଗଲକୁ ଯାଇ ତାଙ୍କ ସହ ଆଲୋଚନା କରିଥିବା ବେଳେ ସେମାନେ କହିଛନ୍ତି ଯେ, ସରକାର ଯଦି ଘର, ଚାଉଳ ଓ ଭତ୍ତା ଦେଲେ ଆମେ ଗାଁକୁ ଯିବୁ | ସ୍ଥାନୀୟ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଓ ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କୁ ଏହି ଘଟଣା ଦୃଷ୍ଟିକୁ ଆଣିବାରୁ ସେମାନେ ଘଟଣାର ତଦନ୍ତ କରି ଅତି ଶୀଘ୍ର ସେମାନଙ୍କୁ ସରକାରୀ ସହାୟତା ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି |

Comments are closed.