ବସ୍‌ରେ ସ୍ତ୍ରୀ କୁ ଛାଡି ଚମ୍ପଟ ମାରିଲା ସ୍ୱାମୀ

0
119
ବସ୍‌ରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୯) : ବସ୍‌ରେ ସ୍ତ୍ରୀକୁ ଛାଡ଼ି ଚମ୍ପଟ ମାରିଲା ସ୍ୱାମୀ । ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ।

ଦୀର୍ଘ ସମୟ ଧରି ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଚଳାଇଛି । ହେଲେ ବସ୍‌ରେ ସ୍ତ୍ରୀ କୁ ଛାଡି ଚମ୍ପଟ ମାରିଥିବା ସ୍ୱାମୀଙ୍କ ପତ୍ତା ପାଉନାହିଁ । ସୂଚନା ଅନୁସାରେ ବିନିକା ଥାନା ଅଞ୍ଚଳ ର ଗୀତାଞ୍ଜଳି ହରିପାଲ ଭେଡେନ୍‌ ଆଇଟିଆଇରେ ପଢ଼ୁଥିଲେ । ସେଠାରେ ତାଙ୍କର ବରଗଡ ଜିଲ୍ଲା ଭେଡେନ ଥାନା ବାଘପାଲି ଗାଁ ର ଜିତୁ ଦେହେରୀଙ୍କ ସହ ଦେଖା ହୋଇଥିଲା । ଉଭୟ ପରସ୍ପରକୁ ଭଲ ପାଉଥିଲେ । ଏହାରି ଭିତରେ ଗୀତାଞ୍ଜଳି ଙ୍କ ଅନ୍ୟତ୍ର ବାହାଘର ଠିକ୍‌ ହୋଇଯାଇଥିଲା ।

ଏପରିକି ନିର୍ବନ୍ଧ ସରିଥିଲା । ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିଲା । ହାତଗଣ୍ଠି ପଡ଼ିବାକୁ ୪ ଦିନ ବାକି ଥିଲା । ଜିତୁଙ୍କ ସହିତ ଗୀତାଞ୍ଜଳି ଘରୁ ପଳାଇ ଯାଇଥିଲେ । ଉଭୟ ତାମିଲନାଡ଼ୁ ପଳାଇ ଯାଇଥିଲେ । ସେଠାରେ ଦୁଇ ମାସ ରହିବା ପରେ ଉଭୟ ଭୁବନେଶ୍ୱର ପଳାଇ ଆସିଥିଲେ । ରଘୁନାଥପୁରରେ ଘର ଭଡ଼ା ନେଇ ରହୁଥିଲେ । ଏକ ମନ୍ଦିରରେ ଉଭୟ ବିବାହ କରିଥିବା ଗୀତାଞ୍ଜଳି ପ୍ରକାଶ କରିଛନ୍ତି । ଉଭୟ ଭୁବନେଶ୍ୱରରେ ଦୁଇ ବର୍ଷ ଧରି ରହିଥିଲେ । ଏହାରି ଭିତରେ ପାଖରେ ଥିବା ଟଙ୍କା ସରିସରି ଆସୁଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ବିଭିନ୍ନ ସମୟରେ ତାଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦେବା ସହ ଏପରିକି ତାଙ୍କ ଠାରୁ ଦୂରେଇବା ପାଇଁ ଜିତୁ ଚାହୁଁଥିଲେ । ସେଥିପାଇଁ ଯୋଜନା କରିଥିଲେ ।

ରେଜିଷ୍ଟ୍ରି ମ୍ୟାରେଜ କରିବାର ବାହାନା କରି ଗୀତାଞ୍ଜଳି କୁ ମନାଇଥିଲା ଜିତୁ । ଏହା ପରେ ଉଭୟ ଗତ ୧୧ ତାରିଖ ରାତିରେ ବସ୍‌ରେ ବିନିକା ଅଭିମୁଖେ ବାହାରିଲେ । ୧୨ ତାରିଖ ଭୋରୁ ସମୟରେ ବିନିକା ବସଷ୍ଟାଣ୍ଡରେ ପହଞ୍ଚିଲା ବସ୍‌ । ପ୍ରଥମେ ଜିତୁ ବସ୍‌ରୁ ଓହ୍ଲାଇଲେ । କିନ୍ତୁ ଗୀତାଞ୍ଜଳି କୁ ନଓହ୍ଲାଇବା ପାଇଁ କହିଥିଲେ ଜିତୁ । ତାଙ୍କ କଥା ମାନି ସେ ବସ୍‌ରୁ ଓହ୍ଲାଇନଥିଲେ । ଜିତୁ ଓହ୍ଲାଇଥିବା ବେଳେ ବସ୍‌ ଛାଡ଼ି ଦେଇଥିଲା । ଏହାପରେ ସେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ । ପରେ ଜିତୁ କୁଆଡେ ଚାଲିଯାଇଛନ୍ତି ତାଙ୍କର ଖୋଜଖବର ପାଉନାହାଁନ୍ତି ।

ଜିତୁ ତାଙ୍କ ମୋବାଇଲ୍‌ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ବସ୍‌ଷ୍ଟାଣ୍ଡରେ ବହୁ ସମୟ ଧରି ଅପେକ୍ଷା କରିବା ପରେ ଗୀତାଞ୍ଜଳି ପରିବାର ଲୋକଙ୍କ ପାଖକୁ ଫୋନ୍‌ କରିଥିଲେ । ପରିବାର ଲୋକେ ଆସିବା ପରେ ଏ ନେଇ ଗୀତାଞ୍ଜଳି ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଚଳାଇଛି । ଯଦି ଜିତୁ ତାଙ୍କୁ ଗ୍ରହଣ ନ କରନ୍ତି ତେବେ ସେ ଆତ୍ମହତ୍ୟା କରିବେ ନହେଲେ ଜିତୁ ଙ୍କ ଘର ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।