ମାଓବାଦୀ ଲିଙ୍କ ମାମଲା : ଦୋଷମୁକ୍ତ ହେଲେ ଜିଏନ ସାଇବାବା

0
130
ମାଓବାଦୀ ଲିଙ୍କ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୪/୧୦) : ମାଓବାଦୀ ଲିଙ୍କ ଯୋଗୁଁ ଗିରଫ ହୋଇ ଦୀର୍ଘ ବର୍ଷ ହେଲା ଜେଲ୍‌ରେ ଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ପୂର୍ବତନ ପ୍ରଫେସର ଜିଏନ ସାଇବାବା ଦୋଷମୁକ୍ତ ହୋଇଛନ୍ତି । ବମ୍ବେ ହାଇକୋର୍ଟ ର ନାଗପୁର ବେଞ୍ଚ ତାଙ୍କୁ ପୂରା ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ତୁରନ୍ତ ଜେଲ୍‌ରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ରୋହିତ ଦେଓ ଓ ଜଷ୍ଟିସ ଅନିଲ ପାନସାରେଙ୍କ ନେଇ ଗଠିତ ଗୋଟିଏ ଡିଭିଜନ ବେଞ୍ଚ ଏପରି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ରେ ଜିଏନ ସାଇବାବାଙ୍କୁ ମାଓବାଦୀ ଲିଙ୍କ ଅଭିଯୋଗରେ ଗୋଟିଏ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବମ୍ବେ ହାଇକୋର୍ଟ ଏହାକୁ ଗ୍ରହଣ କରି ତାଙ୍କୁ ଦୋଷମୁକ୍ତ କରିଛନ୍ତି । ଶାରୀରିକ ଅସୁସ୍ଥ ଯୋଗୁଁ ହ୍ୱିଲ ଚେୟାର ର ବ୍ୟବହାର କରୁଥିବା ଜିଏନ ସାଇବାବା ଏବେ ନାଗପୁର ସେଣ୍ଟ୍ରାଲ ଜେଲରେ ରହିଛନ୍ତି ।

କେବଳ ଜିଏନ ସାଇବାବ ନୁହଁନ୍ତି ଏହି ତଥାକଥିତ ମାଓବାଦୀ ଲିଙ୍କ ମାମଲାରେ ଆଉ ୫ ଜଣ ଅଭିଯୁକ୍ତଙ୍କ ଆବେଦନ କରି ଖଣ୍ଡପୀଠ ସେମାନଙ୍କୁ ମଧ୍ୟ ଦୋଷମୁକ୍ତ କରିଛନ୍ତି । ହେଲେ ପରିତାପ ର ବିଷୟ ଯେ ନ୍ୟାୟ ପାଇବାକୁ ଅପେକ୍ଷା କରି ୫ ଜଣଙ୍କ ମଧ୍ୟର ଜଣେ ଅଭିଯୁକ୍ତ ଆଉ ଏ ଦୁନିଆରେ ନାହାଁନ୍ତି । ଖଣ୍ଡପୀଠ କହିଛନ୍ତି, ଅଭିଯୁକ୍ତମାନଙ୍କ ନାଁରେ ଯଦି ଆଉ କୌଣସି ମାମଲା ନାହିଁ, ତା’ହେଲେ ସେମାନଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ ।

୨୦୧୭ ମାର୍ଚ୍ଚ ମାସରେ ମହାରାଷ୍ଟ୍ର ର ଗଡଚିରୋଲି ଜିଲ୍ଲାର ଗୋଟିଏ ସେସନ୍ସ କୋର୍ଟ ସାଇବାବାଙ୍କ ସମେତ ଜଣେ ସାମ୍ବାଦିକ ଓ ଜଣେ ଜେଏନୟୁ ଛାତ୍ରଙ୍କ ସମେତ ୬ ଜଣଙ୍କୁ ମାଓବାଦୀ ଲିଙ୍କରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏମାନେ ମାଓବାଦୀଙ୍କ ସହ ମିଶି ଦେଶ ବିରୋଧରେ କାମ କରୁଥିବା କୋର୍ଟ କହିଥିଲେ । ୟୁଏପିଏ ଓ ଆଇପିସି ର ବିଭିନ୍ନ ଦଫାରେ ସେମାନଙ୍କୁ ଦଣ୍ଡବିଧାନ କରାଯାଇଥିଲା ।