ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ !

0
112
ସ୍ୱାଧୀନ ପ୍ରାର୍ଥୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୪/୧୦) : ପୂର୍ବତନ ବିଧାୟକ ତଥା ଅସନ୍ତୁଷ୍ଟ ବିଜେଡି ନେତା ରାଜେନ୍ଦ୍ର ଦାସଙ୍କର ମାନଭଞ୍ଜନ କରିପାରିଲା ନାହିଁ ବିଜେଡି । ଶେଷରେ ଦଳକୁ ମିଳିଲା ଶକ୍ତ ଧକ୍କା । ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଧମାନଗର ଉପ ନିର୍ବାଚନ ପାଇଁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ନେତା ରାଜେନ୍ଦ୍ର ଦାସ ।

ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜେନ୍ଦ୍ର ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ରାଜୁଙ୍କ ସାଙ୍ଗରେ ତାଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ । ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ ନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ବିଜୁ ଜନତା ବୃହତ୍ତ ଦଳ । ଏପରି କିଏ ଗୋଟିଏ ଦଳରୁ ବାହାରିଲେ ଗଲେ ଫରକ ପଡ଼ିବନି । ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦିଅନ୍ତି, ଆମେ ତାହା ମାନି ଚଳୁ । ବିଜେଡି ଅଧିକ ଭୋଟରେ ଧାମନଗର ନିର୍ବାଚନ ଜିତିବ ।

ଅନ୍ୟ ପକ୍ଷରେ ଆଜି ବିରାଟ ଶୋଭାଯାତ୍ରରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ମଧ୍ୟ ନିଜର ନାମାଙ୍କନ ଦାଖଲ କରିବେ । ରାଜେନ୍ଦ୍ର ବିଜେଡି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଆଶ୍ରାୟୀ ଥିଲେ । ହେଲେ ଏହି ଆଶା ପାଣି ଫୋଟକା ଫାଟି ଯାଇଥିଲା । ରାଜୁଙ୍କ ଉପସ୍ଥିତିରେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ରାଜୁ ସେତେବେଳେ ଏହାକୁ ସମର୍ଥନ କରିଥିଲେ । ହେଲେ ଭୁବନେଶ୍ୱରରୁ ଫେରି ଭଦ୍ରକରେ ପହଞ୍ଚିବା ପରେ ସ୍ଥିତି ବଦଳି ଯାଇଥିଲା ।

ଏହାସହ ସେ ଗତକାଲି ଏକ ଲୁହ ଭିଜା ଚିଠି ଲେଖି ଧାମନଗର ବାସୀଙ୍କୁ ସେମାନଙ୍କ ମତ ମାଗିଥିଲେ । ଏପରିକି ତାଙ୍କ ପ୍ରତି ୨୦୧୯ ରେ କିଭଳି ଅନ୍ୟାୟ କରାଯାଇଥିଲା, ତାହା ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ । ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିବାରୁ ବିଜେଡି ର ଏକ ଟିମ୍ ପହଞ୍ଚି ରାଜେନ୍ଦ୍ର ଓ ତାଙ୍କ ସମର୍ଥକଙ୍କୁ ବୁଝାସୁଝା କରିଥିଲା । ହେଲେ ରାଜେନ୍ଦ୍ରଙ୍କର ମାନଭଞ୍ଜନ ହୋଇପାରି ନଥିଲା । ରାଜେନ୍ଦ୍ର ନିଜ ଜିଦ୍‌ରେ ଅଟଳ ଥିଲେ ।

ଧାମନଗନର ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲ ର ଶେଷ ଦିନ । ବିଜେପି ପକ୍ଷରୁ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେଡି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ହୋଇଛନ୍ତି ।