ବେଲଝରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା, ପ୍ରତିବାଦରେ ଫାଟକ ସମ୍ମୁଖରେ ତାଲା ପକାଇଲେ ଅଭିଭାବକ

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ(୨୩/୦୯): ସରକାର ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ସହିତ ଶିକ୍ଷାର ମାନ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ ଏହାର ସୁଫଳ ଦେଖିବାକୁ ମିଳୁନାହିଁ । ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ବେଲଝରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହିଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ନିମ୍ନମାନର ମଧ୍ୟାହ୍ନ ଭୋଜନ ପରିବେଷଣ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଠିକ୍ ସମୟରେ ବିଦ୍ୟାଳୟକୁ ନ ଆସିବା ଏବଂ ଶ୍ରେଣୀ ଗୃହ ମଧ୍ୟରେ ମୋବାଇଲ୍ ରେ ଗପିବାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟରେ ମୋବାଇଲ୍ କୁ ବାରଣ କରାଯାଇଥିବା ବେଳେ ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏହି ନିୟମକୁ ମାନୁ ନ ଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଦ୍ୟାଳୟର ସଭାପତି ପ୍ରକାଶ ମେହେଣାଙ୍କୁ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ ଏବଂ ଗତ ସୋମବାର ଦିନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । ତେବେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲ ଗେଟ୍ ରେ ତାଲା ପକାଇ ଦେଇଥିବା ଜଣାପଡିଛି । ଖବର ପାଇ ୨ ଜଣ ଏବିଇଓ ସୁଶମା ଶବର, ରବିନ୍ଦ୍ର ମିଶ୍ର ଓ ସିଆରସିସି ଅଶ୍ବିନୀ କୁମାର ପ୍ରହରାଜ ବିଦ୍ୟାଳୟରେ ପହଞ୍ଚି ବୁଝାସୁଝା କରିଥିଲେ l ଯାହାଫଳରେ କି ପିଲାମାନେ ଖାଦ୍ୟ ନ ପାଇ ଭୋକରେ ଘରକୁ ଫେରି ଆସିଥିଲେ । ତେବେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୯୯ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ମଧ୍ୟାହ୍ନ ଭୋଜନ କାହିଁକି ବନ୍ଦ ରହିଲା ସେ ନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ । ଆଗାମୀ ଦିନରେ ଏ ନେଇ ସ୍ଥାୟୀ ପ୍ରତିକାର କରା ନ ଗଲେ ବିଦ୍ୟାଳୟରେ ପୁଣି ତାଲା ପକାଇ ରାଜରାସ୍ତାକୁ ଅଚଳ କରାଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।

Comments are closed.