ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୧/୧୦) : ଆଜି ସାରା ବିଶ୍ୱରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ବହୁ ଆଡମ୍ବରରେ ପାଳନ ହେଉଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା ଠାରେ ପାଳନ କରାଯାଇଛି ।
ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବାରିହା, ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୂଖ ଯୋଗାଦନ କରି ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସେହିପରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପ୍ରତ୍ୟେକ ଗ୍ରାମରେ ଏହି ଦିବସ ପାଳନ କରାଯାଇଥିଲା । ଜିଲ୍ଲା ର ସମସ୍ତ ୧୯୪୭ ଟି ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ବାଳିକା ମାନେ ଯୋଗ ଦେଇ ଏହି ଦିବସଟିକୁ ପାଳନ କରିଥିଲେ । କିଶୋରୀ ବାଳିକାମାନେ ନିଜ ନିଜ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ମିଟିଂ, ରାଲି, ଚିତ୍ର, ଗୀତ, ନାଚ ମାଧ୍ୟମରେ ଏହି ଦିନଟିକୁ ହସଖୁସିରେ ପାଳନ କରିଥିଲେ ।
ଆଜିର ଆଲୋଚନା ସଭାରେ ବିଭିନ୍ନ କିଶୋରୀ ମାନେ ଯୋଗ ଦେଇ ଭବିଷ୍ୟତରେ କିଏ ଶିକ୍ଷୟତ୍ରୀ ହେବାର ସ୍ୱପ୍ନ ରହିଛି ବୋଲି କହିଥିଲା ବେଳେ କିଏ ଡାକ୍ତର ହୋଇ ନିଜ ଅଞ୍ଚଳ ର ଲୋକ ମାନଙ୍କର ସେବା କରିବେ ବୋଲି କହିଥିଲେ ତ କିଏ ଜଣେ ପୋଲିସ ହୋଇ ଝିଅ ମାନଙ୍କୁ ସୁରକ୍ଷା ଦେବେ ବୋଲି କହିଥିଲେ । କିଏ କିଏ ମଧ୍ୟ ବଡ ହେଲେ ନିଜ ପରିବାରକୁ ସହଯୋଗ କରିବେ ବୋଲି କହିଥିଲେ ଏବଂ ନିଜ ଅଞ୍ଚଳ ର ପିଲାମାନେ କିପରି ନିୟମିତ ବିଦ୍ୟାଳୟକୁ ଯାଇ ପାଠ ପଢିବେ ସେଥିପାଇ ଉଭୟ ପରିବାର, ଶିକ୍ଷକ ଓ ଗ୍ରାମବାସୀ ଦାୟିତ୍ୱ ନେବା ଆବଶ୍ୟକ ବୋଲି କିଶୋରୀ ମାନେ କହିଥିଲେ ।
ଏହି ଅବସରରେ କିଶୋରୀ ମାନଙ୍କର ଶିକ୍ଷା ପାଇଁ ଥିବା ସୁବିଧା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ପୁଅ ମାନଙ୍କର ତୁଳନାରେ ଝିଅ ସଂଖ୍ୟା କମିଯାଉଥିବାର ଘଟଣା ଗୁଡିକ ପ୍ରତି ସମ୍ବେଦନଶୀଳ ହୋଇ ଝିଅ ମାନଙ୍କର ସମାଜ ପ୍ରତି ଯେଉଁ ସବୁ ଅବଦାନ ରହିଛି ସେଗୁଡିକ ବିଷୟରେ କିଶୋରୀ ମାନେ ଆଲୋଚନାରେ ମତ ଦେଇଥିଲେ । କମ୍ ବୟସରେ ବାହାଘର ହୋଇଗଲେ ଗୋଟିଏ କିଶୋରୀ ତାର ସ୍ୱପ୍ନ ପୂରଣ କରି ପାରେ ନାହିଁ ବରଂ ପରିବାର ର ବୋଝ ବୋହି ସେ ଆହୁରି ଦୁର୍ବଳ ହୋଇପଡେ । ଆଜି ଆମ ପାଖରେ ରାଷ୍ଟ୍ରପତି, ବୈଜ୍ଞାନିକ, ଡାକ୍ତର, ବିଚାରପତି, ଜିଲ୍ଲାପାଳ, ବିଡିଓ, ଅଙ୍ଗନବାଡି କର୍ମୀ ଭଳି ଅନେକ ଉଦାହରଣ ରହିଛି । ତେଣୁ ସମାଜ ର ପ୍ରତ୍ୟେକ ସ୍ତରରେ ଏହି ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟକ୍ରମ ଗୁଡିକୁ ଗ୍ରାମ ସ୍ତରରେ ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଆଶା କର୍ମୀମାନେ ଆୟୋଜନ କରିଥିଲା ବେଳେ ବ୍ଲକ ସ୍ତରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନେ ପରିଚାଳନା କରିଥିଲେ । ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ସମନ୍ୱିତ ଶିଶୁ ବିକାଶ ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ଆକ୍ସନ ଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ପ୍ରମୁଖ ତଦାରଖ କରିଥିଲେ ।