Related Contents

ଜାତୀୟ ମହିଳା କମିଶନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୨୦/୦୯): ଜାତୀୟ ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀଙ୍କ ନବରଙ୍ଗପୁର ଗସ୍ତ କରିଛନ୍ତି | ଏହି ଗସ୍ତ ଅବସରରେ ସେ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରିବା ସହ ମହିଳାଙ୍କ ଉନ୍ନତି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ରୁଦ୍ଧଦ୍ବାର ବୈଠକ କରିଥିଲେ ।

ଏହାପରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ନେଇ ଜିଲ୍ଲାରେ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକ କରିଥିଲେ । ଏହାପରେ ସାମ୍ବାଦିକ ମାନଙ୍କୁ ନିଜ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କ ବାବଦରେ ସୂଚନା ଦେବା ସହ ଜିଲ୍ଲାରେ ମହିଳା ମାନଙ୍କ ପ୍ରଗତି ନିମନ୍ତେ ସରକାରଙ୍କ ଦ୍ଵାରା ନିଆଯାଇବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ସହିତ ନବରଙ୍ଗପୁର ଭଳି ଆଦିବାସୀ ଅଧୁଷିତ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ କିପରି ତାହାର କାର୍ଯ୍ୟ କରାଯାଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ କେନ୍ଦ୍ରସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ବେଟି ବଚାଓ ବେଟି ପଢ଼ାଓ ଯୋଜନା ନବରଙ୍ଗପୁର ଠାରେ କାର୍ଯ୍ୟକାରୀ ହୋଇପାରି ନ ଥିବା ସେ ପ୍ରକାଶ କରିଥିଲେ । ଜିଲ୍ଲାରେ ନାରୀ ଶିକ୍ଷା କ୍ଷେତ୍ରରେ ପଛରେ ପଡିଯାଇଥିବା ବେଳେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ସମସ୍ତ ବାଳିକାକୁ ଶିକ୍ଷା ମିଳିବାରେ ବେସ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଏଥିସହ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ଅଙ୍ଗନବାଡି କର୍ମୀ ମାନେ ଠିକରେ ଯାଉଛନ୍ତି ନା ନାହିଁ ସେ ସମ୍ପର୍କରେ ସୂଚନା ରଖିବା ପାଇଁ ସେମାନଙ୍କ ମୋବାଇଲ ଟ୍ରାକ କରିବା ପାଇଁ କହିଥିଲେ । ଏହାଦ୍ୱାରା ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚି ପାରିବ ବୋଲି କହିଥିଲେ । ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା ଓ ନିଶା ସେବନ ବହୁଳ ପରିମାଣରେ ଚାଲୁଥିବାରୁ ଏହାକୁ ସଚେତନତା ମାଧ୍ୟମରେ ରୋକିବା ପାଇଁ ସ୍କୁଲକୁ ଯାଇ ସଚେତନ କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ | ଜିଲ୍ଲାରେ ପହଂଚି ପାରିନଥିବା ବିଭିନ୍ନ ଯୋଜନା ଓ ଜିଲ୍ଲାରେ ଆବଶ୍ୟକ ଥିବା ନୂତନ ଯୋଜନା ଉପରେ ରାଜ୍ୟସରକାରଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଥିଲେ |

Comments are closed.