ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସି ୮ ମୃତ

0
122
ଦୁର୍ଗା ମୂର୍ତ୍ତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଲକାତା, (୦୬/୧୦) : ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ଜଣଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ୍ ନଦୀରେ ଏହି ଅଘଟଟ ଘଟିଛି ।

ବିଜୟା ଦଶମୀ ଅବସରରେ ମାଁ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିଲା । ଏହି ଦୁର୍ଘଟଣାରେ ଅନେକ ନିଖୋଜ ହୋଇଛନ୍ତି । NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଲ ନଦୀରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମାଁ’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବାବେଳେ ଲଘୁଚାପ ବର୍ଷା ଯୋଗୁଁ ମାଲ ନଦୀରେ ବନ୍ୟା ଜଳ ଆସିଥିଲା । ନଦୀରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାଁ ଙ୍କ ଦୁର୍ଗା ମୂର୍ତ୍ତି ଭସାଣ କରୁଥିଲେ । ଏଥିରେ ଶହେରୁ ଅଧିକ ଭକ୍ତ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକଙ୍କ ମଧ୍ୟରେ ୪ ମହିଳା ରହିଛନ୍ତି । ଭାସିଯାଇଥିବା ଭକ୍ତଙ୍କ ମଧ୍ୟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୩୦ରୁ ୪୦ ଜଣ ଏବେବି ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର ଲାଗି ଚାଲିଛି ସର୍ଚ୍ଚ ଅପରେସନ୍ । NDRF, SDRF ଟିମ ସହ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ତରଫରୁ ଚାଲିଛି ଉଦ୍ଧାର କାର୍ଯ୍ୟ। ନଦୀର ତଳିଆ ଅଂଚଳରେ ଖୋଜାଖୋଜି ଚାଲିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ବିଜୟା ଦଶମୀ ଅବସରେ ଗତକାଲି ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଭସାଣ ଉତ୍ସବ ଚାଲିଥିଲା । ଭସାଣ ଚାଲିଥିବାବେଳେ ରାତି ପ୍ରାୟ ସାଢେ ୮ଟା ସମୟରେ ଘଟିଥିଲା ଏହି ଅଘଟଣ । ଉଦ୍ଧାର ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଲପାଇ ଗୁଡ଼ିରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।