ଏଲ୍‌ଇଡି ଟିଭି ଫାଟି ନାବାଳକ ମୃତ : ଭୁଶୁଡ଼ି ଗଲା କାନ୍ଥ

0
107
ଏଲ୍‌ଇଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗାଜିଆବାଦ, (୦୫/୧୦) : ଏଲ୍‌ଇଡି ଟିଭି ଫାଟି ଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ଯାଇଛି । ମଙ୍ଗଳବାର ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ । ଏଥିରେ ନାବାଳକଙ୍କ ମା’, ପିଉସୀ ଓ ତାଙ୍କର ଜଣେ ସାଙ୍ଗ ଆହତ ହୋଇଛନ୍ତି ।

ମୃତ ନାବାଳକଙ୍କ ନାଁ ଓମେନ୍ଦ୍ର (୧୬) । ଏହି ଘଟଣା ବେଳେ ସେହି ରୁମ୍‌ରେ ଓମେନ୍ଦ୍ର, ତାଙ୍କ ମା’, ପିଉସୀ ଓ ସାଙ୍ଗ ବସିଥିଲେ । ଟିଭିଟି ଫାଟିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପୂରା ଘର ଦୋହଲି ଯାଇଥିଲା । ଯେଉଁ କାନ୍ଥରେ ଏଲ୍‌ଇଡି ଟିଭି ଟି ଲାଗିଥିଲା ତାହା ଭୁଶୁଡ଼ି ଯାଇଥିଲା । ଟିଭି ଫାଟି ଏହାର ବିଭିନ୍ନ ଅଂଶ ଓମେନ୍ଦ୍ରଙ୍କ ଶରୀରରେ ପଶି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଓମେନ୍ଦ୍ରଙ୍କ ମା’ ଓ ସାଙ୍ଗ କରଣଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ପିଉସୀଙ୍କୁ ଚିକିତ୍ସା ପରେ ହସ୍ପିଟାଲ୍‌ରୁ ଛାଡ଼ି ଦିଆଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତ ପରେ ପୁଲିସ୍ କହିଛି ଯେ ଏଲ୍ଇଡି ଟିଭିଟି କାନ୍ଥରେ ଲାଗିଥିଲା । କୌଣସି କାରଣ ବଶତଃ ତାହା ଫାଟି ଯାଇଥିଲା । ଫଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଗଲା ।