ଜମ୍ମୁ କଶ୍ମୀର ଜେଲ୍ ମହାନିର୍ଦ୍ଦେଶକଙ୍କ ଗଳାକାଟି ହତ୍ୟା

0
247
ଜମ୍ମୁ କଶ୍ମୀର ଜେଲ୍

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୧୦) : ଜମ୍ମୁ କଶ୍ମୀର ଜେଲ୍ ବିଭାଗ ର ମହାନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ୍ ଆଇପିଏସ୍ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ଗଳା କାଟି ହତ୍ୟା କରାଯାଇଛି ।

ଜମ୍ମୁ କଶ୍ମୀର ଜେଲ୍ ମହାନିର୍ଦ୍ଦେଶକଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି । ତାଙ୍କ ଶବ ଜଳାଇ ଦେବାକୁ ଅଭିଯୁକ୍ତ ଚେଷ୍ଟା ମଧ୍ୟ କରିଛି । ଘଟଣା ଘଟାଇବାରେ ତାଙ୍କ ଘରେ ସହାୟକ ଭାବେ କାମ କରୁଥିବା ବ୍ୟକ୍ତି ୟାସିର ଉପରେ ସମସ୍ତଙ୍କ ସନ୍ଦେହ ରହିଛି । ତେବେ ଆତଙ୍କବାଦୀ ସଙ୍ଗଠନ ଟିଆରଏଫ୍ ଏହି ଘଟଣା ଘଟାଇଥିବା ଦୋଷ ନିଜ ଉପରକୁ ନେଇଛି । ୫୭ ବର୍ଷୀୟ ଶ୍ରୀ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗ ର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ ।

ଜମ୍ମୁ କାଶ୍ମୀର ପୁଲିସ ର ଅତିରିକ୍ତ ମହାନିର୍ଦ୍ଦେଶକ (ଜମ୍ମୁ ଜୋନ୍) ମୁକେଶ ସିଂହ କହିଛନ୍ତି, ତାଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଏବେ ଫେରାର ଅଛି ଏବଂ ତାକୁ ଧରିବା ପାଇଁ ପ୍ରୟାସ ଚାଲିଛି । ଫୋରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ସେପଟେ ସୂଚନା ମିଳିଛି, ହେମନ୍ତଙ୍କ ରୁମ୍‌ରେ ନିଆଁ ଜଳୁଥିବା ଦେଖି ଘର ବାହାର ଗେଟ୍‌ରେ ମୁତୟନ ଗାର୍ଡ ତୁରନ୍ତ ସେଠାକୁ ଯାଇଥିଲେ । ହେଲେ ରୁମ୍‌ ଭିତରୁ ବନ୍ଦ ଥିଲା । କବାଟ ଭାଙ୍ଗି ସେ ଭିତରକୁ ପ୍ରବେଶ କରିବା ପରେ ଏଭଳି କାଣ୍ଡ ଦେଖିବାକୁ ପାଇଥିଲେ । ଗୃହମନ୍ତ୍ରୀ ଅମିତ ଶାହ ଆଜି ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିବାବେଳେ ଏଭଳି ଅପରାଧ ଘଟିଛି ।