Friday, March 29, 2024

Top 5 This Week

Related Posts

କଳାହାଣ୍ଡି ଗଡଜାତ ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା. (୦୩/୧୦) : କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଁ ମାଣିକେଶ୍ଵରୀଙ୍କ ଛତର ବିଜୟ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 03 at 6.17.58 PM କଳାହାଣ୍ଡି ଗଡଜାତ ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

ଏହି ଅବସରରେ କଳାହାଣ୍ଡି ଗଡଜାତ ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଭକ୍ତଙ୍କୁ ସିଧାସଳଖ ଦର୍ଶନ ଦେବା ସହିତ ମାନସିକ ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ବିଗତ ଦୁଇ ବର୍ଷ ହେବ ଭକ୍ତ ମାନେ ମାଁ ଙ୍କର ଛତର ଦର୍ଶନ କରିପାରୁ ନଥିଲେ, ଯାହାଫଳରେ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତ ମାନେ ମାଁଙ୍କର ଛତର ଦର୍ଶନ ପାଇଁ ରାତିସାରା ଉଜାଗର ରହି ଅପେକ୍ଷାରେ ଥିଲେ । ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ପରମ୍ପରା ଅନୁଯାୟୀ ଦଶହରା କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଦିନ ଅଭିଷିକ୍ତ ବ୍ରାହ୍ମଣ ମାନଙ୍କ ଦ୍ୱାରା ମାଁଙ୍କର ମସ୍ତକ ସ୍ଥାପନ ହେବା ପର ଠାରୁ ଷୋଡଶ ଉପଚାର ପୂଜା ମାଧ୍ୟମରେ ଷୋହଳ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ । ମହାଷ୍ଟମୀ ମଧ୍ୟ ରାତ୍ରିରେ ମାଁଙ୍କର ଭୈରବ ବୁଢ଼ାରାଜାଙ୍କ ପାଖରେ ମହାପଶୁ ବଳି ହେବା ପରେ ମାଁଙ୍କର ପ୍ରତ୍ୟେକ ଛତର ମନ୍ଦିର ରୁ ବାହାରି ଉଗ୍ର ରୂପରେ ସହର ଉପକଣ୍ଠ ଜେନାଖାଲ ପାଖକୁ ଯାଇଥାନ୍ତି ।

ଏହି ଯାତ୍ରା ସମୟରେ ସ୍ଥାନୀୟ ଲୋକେ କେହି ଦର୍ଶନ କରିବା ବାରଣ ଥିଲେ ମଧ୍ୟ ବର୍ତ୍ତମାନ ର ଏହି ଆଧୁନିକ ଯୁଗରେ ବହୁ ଦୂର ଦୁରାନ୍ତରୁ ଆସୁଥିବା ଲୋକେ ରାସ୍ତା ଘାଟରେ ଦର୍ଶନ କରି ଦେଉଥିବା ଦେଖାଯାଏ । ମାଁ ମାଣିକେଶ୍ଵରୀଙ୍କ ଛତର ଜେନା ଖାଲରେ ପହଞ୍ଚିବା ପରେ ସେଠାରେ ଗୁପ୍ତ ପୂଜା ସହିତ ବଳି ଭୋଗ ଦିଆଯିବା ପରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଜେନଖାଲ ରୁ ମାଁଙ୍କ ଛତରକୁ ବ୍ରାହ୍ମଣ ସେବାୟତ ମାନେ ଧାରଣ କରି ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ବାହାରିଥାନ୍ତି । ଏହାକୁ ହିଁ ମାଁ ମଣିକେଶ୍ଵରୀଙ୍କ ଛତର ବିଜୟ ଯାତ୍ରା କୁହାଯାଇଥାଏ ।

ଏହି ଛତର ଯାତ୍ରା ସମୟରେ ମାନସିକ ଧାରି ମାନେ ମାଁଙ୍କ ଉଦ୍ଦେଶ୍ୟରେ ବଳି ଭୋଗ ଅର୍ପଣ କରିଥାନ୍ତି । ମାଙ୍କ ଉପରେ ଭକ୍ତ ମାନଙ୍କ ଅଗାଧ ବିଶ୍ୱାସ ରହିଛି । ସବୁଠାରୁ ଭବାବେଗର ବିଷୟ ହେଲା ମାଁଙ୍କ ଛତର ମନ୍ଦିର ରୁ ବାହାରିବା ପରେ ମନ୍ଦିରରେ ପାରା ଛାଡି ଦିଆଯାଇଥାଏ, ସେହି ପାରା ସିଧା ଜେନା ଖାଳ କୁ ଯାଇ ସେଠାରୁ ଛତର ଉପରେ ବସି ମନ୍ଦିରକୁ ଫେରିଥାନ୍ତି । ଏତେ ଜନ ଗହଳି ବାଦ୍ୟ, କୋଳାହଳ, ହେଉଥିଲେ ମଧ୍ୟ ପାରା ଗୁଡିକ ଛତର ଉପରେ ହିଁ ବସି ରହିଥାନ୍ତି ।

କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ଵରୀଙ୍କ କିମ୍ବଦନ୍ତୀ ଅନନ୍ୟ, ପରମ୍ପରା ମଧ୍ୟ ଅନନ୍ୟ । ମାଁଙ୍କର ଛତର ମନ୍ଦିରକୁ ଫେରିବା ପରେ ରାଜା ସମ୍ମାନ ର ସହ ବନ୍ଦାପନା କରି ମନ୍ଦିରକୁ ପାଛୋଟି ନେବାର ପରମ୍ପରା ରହିଛି । ପରଦିନ ଲାଖ ମରା ପଡ଼ିଆକୁ ଛତର ବିଜେ କରିଥାନ୍ତି ଏବଂ ସେଠାରେ ଲାଖ ମରା ପ୍ରତିଯୋଗିତା ହୋଇଥାଏ ଓ ବିଜୟୀଙ୍କୁ ରାଜା ଘର ପକ୍ଷରୁ ସମ୍ମାନିତ କରାଯାଇଥାଏ ।

ଭକ୍ତ ବତ୍ସଲା ମାଁ ମାଣିକେଶ୍ଵରୀଙ୍କ ପକ୍ଷରୁ କେବେ କେହି ଖାଲି ହାତରେ ଫେରି ନାହିଁ ବୋଲି ଭକ୍ତ ମାନକର ବିଶ୍ୱାସ ରହିଛି ଚଳିତ ବର୍ଷ ଛତର ଯାତ୍ରା ସୁରୁଖୁରୁରେ ପାଳନ ହୋଇଯାଇଛି । କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଣିକ୍ୟ ଦେବୀ ମାଁ ମାଣିକେଶ୍ଵରୀଙ୍କ ଆଉ ଏକ ଅଂଶ ବିଶେଷ ଥୁଆମୂଳ ରାମପୁର ଠାରେ ପୂଜିତ ହେଉଥିବା ବେଳେ ସେଠାରେ ମଧ୍ୟ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Popular Articles