ସମ୍ବଲପୁର ଘରୋଇ କଲେଜରେ ରେଗିଙ୍ଗ, ୪ଜଣ ଛାତ୍ରଙ୍କ ମାଡ଼ରେ ଅନ୍ୟଛାତ୍ର ଲହୁଲୁହାଣ

ସମ୍ବଲପୁର(୧୭/୦୯): ସମ୍ବଲପୁରର ଏକ ଘରୋଇରେସିଡେନ୍ସିଆଲ କଲେଜରେ ପାଠ ପଢୁଥିବା +୨ ପ୍ରଥମ ବର୍ଷ ଛାତ୍ରଙ୍କୁ ସେହି କଲେଜର ୪ଜଣ ଛାତ୍ର ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ୪ଜଣ ଛାତ୍ରଙ୍କ ମଧ୍ୟରୁ ୩ଜଣ +୨ ପ୍ରଥମବର୍ଷର ଛାତ୍ର ଥିବା ବେଳେ ଅନ୍ୟ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି ।

ପୀଡିତଙ୍କ ପିତା ଗୌରଚରଣ ମିଶ୍ର ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ପୁଅ ଅଭିଷେକ ମିଶ୍ରଙ୍କୁ ହଷ୍ଟେଲରେ ତାଙ୍କ ସାଙ୍ଗପିଲାମାନେ ନିର୍ଯାତନା ଦେବା ସହ ଲୁହାରଡ, ଷ୍ଟିଲ୍ ପାଇପ୍, ବେଲ୍ଟ ଓ ମୋଟା ବାଡିରେ ମାଡ ମାରି ରକ୍ତାକ୍ତ ଓ କ୍ଷତବିକ୍ଷତ କରିଛନ୍ତି । ଏହାପରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଏ ବିଷୟରେ କଲେଜ କର୍ତ୍ତୃପକ୍ଷ ମୋତେ କୌଣସି ଖବର ଦେଇନଥିଲେ । ମୁଁ ପୁଅକୁ ଦେଖା କରିବାକୁ ହଷ୍ଟେଲ ଆସିବାରୁ ସେ ହଷ୍ଟେଲରେ ନଥିବା ଜାଣି ପାରିଥିଲି । ହଷ୍ଟେଲ ୱାର୍ଡେନଙ୍କୁ ପୁଅ କେଉଁଠାରେ ଅଛି ବୋଲି ପଚାରିବାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛି ବୋଲି କହିଥିଲେ । ଅପରପକ୍ଷରେ ଏନେଇ କଲେଜ ଅଧ୍ୟକ୍ଷ କିଛି ଜାଣିନଥିବା ବି ସେ କହିଥିଲେ । ଅଭିଷେକ ମିଶ୍ରଙ୍କୁ ମାଡ ମାରିଥିବା ଛାତ୍ରଙ୍କ ମଧ୍ୟରେ ସତ୍ୟବାନ ମହାକୁଡ, ଆକାଶ ସାହୁ, ରାଜକୁମାର ଧରୁଆ ଓ ଅଂଶୁମାନ ପ୍ରମୁଖ ସାମିଲ ଥିବା ପୋଲିସରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ ପେଜ କୁ ଲାଇକ କରନ୍ତୁ

Comments are closed.