ଦେଶବ୍ୟାପୀ ଗାନ୍ଧୀ ଜୟନ୍ତୀ ପାଳିତ : ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

0
192
ଦେଶବ୍ୟାପୀ ଗାନ୍ଧୀ ଜୟନ୍ତୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୧୦) : ଆଜି ହେଉଛି ଜାତି ର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଦେଶବ୍ୟାପୀ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି ।

ଦେଶବ୍ୟାପୀ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବିଶେଷ କରି ରାଜଘାଟରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତଙ୍କ ମନ୍ତ୍ରୀ ଓ ନେତାବୃନ୍ଦ ଉପସ୍ଥିତ ହୋଇ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବୈଷ୍ଣବ ଜନ ତୋ ଧୂନରେ ଝଙ୍କୃତ ହୋଇଥିଲା ରାଜଘାଟ ର ପରିବେଶ । ଏହାପରେ ସର୍ବଧର୍ମ ସମନ୍ୱୟ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ବାପୁଙ୍କୁ ମନୋପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟର୍‌ରେ ପୋଷ୍ଟ୍‌ କରି ସେ ଲେଖିଛନ୍ତି, ‘ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଭାରତ ‘ସ୍ୱାଧୀନତା ର ଅମୃତ ମହୋତ୍ସବ’ ପାଳନ କରୁଥିବାରୁ ଏଥର ଗାନ୍ଧୀ ଜୟନ୍ତୀ ବିଶେଷ ଗୁରୁତ୍ୱ ବହନ କରୁଛି । ଆମେ ସଦାସର୍ବଦା ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥାଉ ।’ ଦିଲ୍ଲୀରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳ ରାଜଘାଟରେ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଖଦୀ ଓ ହସ୍ତଶିଳ୍ପ ସାମଗ୍ରୀ କିଣନ୍ତୁ ବୋଲି ଜନସାଧରଣଙ୍କୁ ଅନୁରୋଧ କରି କହିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଜାତି ର ପିତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ‘ମହାତ୍ମା ଗାନ୍ଧୀଙ୍କର ୧୫୩ ତମ ଜୟନ୍ତୀ ଅବସରରେ ମୁଁ ଦେଶବାସୀଙ୍କ ତରଫରୁ ଜାତି ର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଶାନ୍ତି, ସମାନତା ଓ ସାମ୍ପ୍ରଦାୟିକ ସହାବସ୍ଥାନର ମୂଲ୍ୟବୋଧ ପ୍ରତି ପୁନଃ ଉତ୍ସର୍ଗ ହେବା ପାଇଁ ଏହା ଗୋଟାଏ ଅବସର ।’

ସେହିପରି, କଂଗ୍ରେସ ର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ମଧ୍ୟ ଟୁଇଟ୍‌ କରି ‘ଆନ୍ତର୍ଜାତିକ ଅହିଂସା ଦିବସ’ ପାଳନ କରିବା ସହ ଗାନ୍ଧୀଜୀଙ୍କ କଥା ମନେ ପକାଇଛନ୍ତି ।