ଫ୍ରେଣ୍ଡସ ୟୁନିଟ କ୍ଳବ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ରିପୋର୍ଟ: ଏନ. ସନ୍ତୋଷ କୁମାର
ବୈପାରିଗୁଡା(୧୪/୦୯): ବୈପାରିଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଫ୍ରେଣ୍ଡସ ୟୁନିଟ କ୍ଳବ ପକ୍ଷରୁ ‘ହିନ୍ଦୀ ଦିବସ’ ପାଳିତ ହୋଇଯାଇଛି | କ୍ଲବର ସଭାପତି ମଧୁସୁଦନ ରାଉତଙ୍କ ଅଧକ୍ଷତାରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଭାଗିରଥି ମୁର୍ଜିଆ, ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରମେଶ କୁମାର ରାଉତ, ବିଏସଏଫ ପିଆରଅ ଶ୍ରୀ ଜେଆର ସିଂ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |

ଏହି ଅବସରରେ ରାଜ୍ୟ ସମାଜସେବା ପୁରସ୍କାରପ୍ରାପ୍ତ କାମାକ୍ଷା ପ୍ରସାଦ ମାଝୀଙ୍କୁ ଉପସ୍ଥିତ ଅଥିତିଙ୍କ ଦ୍ୱାରା ମାନପତ୍ର ଓ ଉପଢକନ ଦେଇ କ୍ଲବ ପକ୍ଷରୁ ସମ୍ମାନ କରାଯାଇଥିଲା | ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଆମର ରାଷ୍ଟ୍ରଭାଷା ହିନ୍ଦୀର ସମ୍ମାନ, ଭାଷାକୋଷର ସମୃଦ୍ଧି ଓ ଉତ୍ତମ ବ୍ୟବହାର ଉପରେ ଆଲୋକପାତ କରିଥିଲେ | ଭାଷାର ସରଳତା ଯୋଗୁଁ ହିନ୍ଦୀ ଆଜି ସମୃଦ୍ଧ ହୋଇଛି ବୋଲି ନିଜ ବକ୍ତବ୍ୟରେ ମଧ୍ୟ କହିଥିଲେ | ୧୫୦ କୋଟି ଲୋକଙ୍କର ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ବ୍ୟବହାର ହିନ୍ଦୀ ସାହିତ୍ୟ ଓ ଏହାର ମହାନ ପରମ୍ପରା ଯୋଗୁଁ ଏହାର ପରିସର ମଧ୍ୟ ବହୁତ ବ୍ୟାପକ ବୋଲି କହିଥିଲେ |

ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପ୍ରତିଯୋଗିତା ମାନ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗ ଭିତ୍ତିରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବକ୍ତୃତା ଏବଂ ଗୀତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ଫ୍ରେଣ୍ଡସ ୟୁନିଟ କ୍ଳବର ସଦସ୍ୟ ଚକ୍ର ବୈରାଗୀ, ଅଭିମନ୍ୟୁ ରଗଡ଼ି, ରବି ସଗରିଆ ସହଯୋଗ କରିଥିଲେ | ଶେଷରେ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ଭୀମସେନ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.