Thursday, March 28, 2024

Top 5 This Week

Related Posts

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଅସ୍ତିତ୍ୱ ଖୋଜୁଛି କୋରାପୁଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୭/୯) : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । କିନ୍ତୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଅସ୍ତିତ୍ୱ ଖୋଜୁଛି କୋରାପୁଟ ଜିଲ୍ଲା । ଜଟିଳ ଜୀବନଶୈଳୀ ମଧ୍ୟରେ ବଦଳୁଛି ସାଧାରଣ ମଣିଷ ର ସଉକ । ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ପ୍ରକୃତି କୋଳରେ ବିତାଇବା ଲାଗି ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି ।

ଜଙ୍ଗଲ, ଝରଣା, ନଦୀ, ସମୁଦ୍ରତଟରେ କିଛି ସମୟ ଅତିବାହିତ କରି ଆନନ୍ଦ ଖୋଜୁଛନ୍ତି, ଶାନ୍ତି ଲୋଡୁଛନ୍ତି । ଫଳରେ ରାଜ୍ୟରେ ପରିବେଶ ପର୍ଯ୍ୟଟନ (ଇକୋ-ଟୁରିଜିମ୍‍) ଅଧିକରୁ ଅଧିକ ସମୃଦ୍ଧ ହୋଇଛି । ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନ ସ୍ଥଳ ର ବିକାଶକୁ ଅଗ୍ରାଧିକାର ଦେଇଛନ୍ତି । ଏହାଦ୍ୱାରା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ରାଜ୍ୟ ର ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ଇକୋ-ଟୁରିଜିମ ଆରମ୍ଭ ହେବା ପରେ ଦେଶ ର ବିଭିନ୍ନ ରାଜ୍ୟ ସମେତ ବିଦେଶରୁ ପର୍ଯ୍ୟଟକମାନେ ଓଡ଼ିଶା ଆସୁଛନ୍ତି । ଯାହାଦ୍ୱାରା ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ଥିତିକୁ ମଜଭୂତ କରିବାରେ ସଫଳ ହେଉଛି ।

କରୋନା ସମୟରେ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ବିଗିଡ଼ି ପଡ଼ିଥିବା ବେଳେ ଚଳିତବର୍ଷ କେବଳ ଇକୋ-ଟୁରିଜିମ ସ୍ଥଳିକୁ ୨୧ ହଜାରରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି । ଏହାଦ୍ୱାରା ୩ କୋଟିରୁ ଅଧିକ ଅର୍ଥ ଆୟ ହୋଇଛି । ଗୋଟିଏ ପଟେ ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ଯୋଜନା ସହାୟକ ହେଉଥିବା ବେଳେ ଓଡ଼ିଶା ର କିଛି ଟା ଲୁକ୍କାୟିତ ଅଞ୍ଚଳ ଗୁଡ଼ିକ ଲୋକଲୋଚନକୁ ମଧ୍ୟ ଆସିପାରୁଛି । ରାଜ୍ୟ ର ବହୁ ଅଞ୍ଚଳ ଦେଶ ବିଦେଶରେ ପରିଚିତି ପାଇଛି । ୨୦୧୬-୧୭ ମସିହାରୁ ଗୋଷ୍ଠୀ ଭିତ୍ତିକ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର ।

ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୪ଟି ପରିବେଶ ପର୍ଯ୍ୟଟନ ସ୍ଥଳ ର ବିକାଶ କରାଯାଇଥିବା ବେଳେ ସେହି ବର୍ଷ ୧୧ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଏଠାକୁ ଆସିଥିଲେ । ଏହାପରେ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୭ଟି ସ୍ଥାନରେ ପରିବେଶ ପର୍ଯ୍ୟଟନ ବ୍ୟବସ୍ଥା କରାଯାଇଛି । ୧୮ଟି ଜିଲ୍ଲାରେ ଏହି ଇକୋ ଟୁରିଜିମ୍‍ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ୭୮୫ ଜଣ ପର୍ଯ୍ୟଟକଙ୍କ ରାତ୍ରି ରହଣି ର ସୁବିଧା କରାଯାଇଛି ।

ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସୂଚନା ଅନୁଯାୟୀ ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀରେ ଅନୁଷ୍ଠିତ ପ୍ରାକୃତିକ କ୍ୟାମ୍ପକୁ ୨୦୨୧-୨୨ ରେ ୭୦ ହଜାର ରୁ ଅଧିକ ପରିବେଶ ପର୍ଯ୍ୟଟକ ଆସିଛନ୍ତି । ଏହାଦ୍ୱାରା ୧୦.୫୧ କୋଟି ଟଙ୍କା ଆୟ ହୋଇଛି । ଏଥିରେ ସିଧାସଳଖ ଭାବେ ୬୩୨ ପରିବେଶ ବିକାଶ କମିଟି (ଇଡିସି), ବନ ସୁରକ୍ଷା ସମିତି (ଭିଏସଏସ) ଏବଂ ପରିବେଶ ପର୍ଯ୍ୟଟନ ଗୋଷ୍ଠୀ (ଇଟିଜି) ଉପକୃତ ହୋଇଛନ୍ତି । ଏଭଳି ପର୍ଯ୍ୟଟନସ୍ଥଳୀ ପାଇଁ ଅନଲାଇନ୍‍ ସଂରକ୍ଷଣ ସୁବିଧା ବି ଉପଲବ୍ଧ ରହିଛି । କିନ୍ତୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଅସ୍ତିତ୍ୱ ଖୋଜୁଛି କୋରାପୁଟ ଜିଲ୍ଲା ।

ଗତବର୍ଷ ମାନଙ୍କରେ ଇକୋ-ଟୁରିଯିମ ତିଆରି ହେଇଥିଲେ ମଧ୍ୟ ସରକାରୀ କଳ ଉଦାସୀନତା ଯୋଗୁ ତାହା ଫସର ଫାଟିଥିଲା । ଏବେ ବି କୋରାପୁଟ ର ଅନେକ ଅଞ୍ଚଳ ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ରହିଛି । ଏକଦା ବୋରିଗୁମ୍ମା ବ୍ଲକ ର ବିସିଂପୁର ସ୍ଥିତ ସାଂକୁଳାଇ ପୀଠ ରୁ ପୂର୍ବତନ ଜିଲ୍ଲାପାଳ ଅନୁପମ ଶାହ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ପରବ ର ଶୁଭାରମ୍ଭ କରିଥିଲେ । ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନ ସ୍ଥଳୀ କୁ ଲୋକଲୋଚନ କୁ ଆଣିବା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହେଇପାରିଲା ନାହିଁ ।

ଠିକ ସେହିଭଳି ଜିଲ୍ଲା ର ଅନେକ ସ୍ଥାନ ଅଛି ଯାହା କି ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇବା ପାଇଁ ସମସ୍ତ ମାନଦଣ୍ଡ ପୁରଣ କରୁଥିଲେ ମଧ୍ୟ ତାହା ଆଜି ଯାଏଁ ମାନ୍ୟତା ପାଇ ପାରିନାହିଁ । ଅନ୍ୟପଟେ କୋରାପୁଟ ଜିଲ୍ଲା ର ପାଣିପାଗ ବିଦେଶୀ ପର୍ଯ୍ୟଟକ ଙ୍କ ପାଇଁ ଅନୁକୂଳ ଥିଲେ ସୁଧା, ଆଖିଦୃଶିଆ ପର୍ଯ୍ୟଟକ ଆସୁନାହାଁନ୍ତି । ଯଦି ଦେଖିବା ଆମ ଅଞ୍ଚଳ ର ଲୋକେ ମନୋରଞ୍ଜନ ପାଇଁ ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ର ପର୍ଯ୍ୟଟନ ସ୍ଥଳୀ କୁ ବୁଲିବାକୁ ଯାଇଥାନ୍ତି । ଅଥଚ ଉପଯୁକ୍ତ ଭିତ୍ତିଭୂମି ନ ଥିବା ଯୋଗୁ ମୁହଁ ଫେରେଇ ନେଉଛନ୍ତି ଅଞ୍ଚଳବାସୀ ।

କିନ୍ତୁ ବର୍ତ୍ତମାନ ର କୋରାପୁଟ ଜିଲ୍ଲାପାଳ ଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ କୁ ଦେଖିଲେ , କୋରାପୁଟ ର ପର୍ଯ୍ୟଟନ ର ବିକାଶ ପାଇଁ ବହୁତ ଆନ୍ତରିକତା ଥିବା ଜଣାଯାଏ । କିନ୍ତୁ କେବେ କୋରାପୁଟ ଜିଲ୍ଲା ର ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀ କୁ ସରକାରୀ ସ୍ତରରେ ମାନ୍ୟତା ପାଇବ ତାହା କୁ ଅନେକ ଆଲୋଚନା ଶୁଣିବାକୁ ମିଳୁଛି ।

Popular Articles