Related Contents

ଶୁଣିଲେନି ସରକାର, ଶେଷରେ ଅସ୍ଥାୟୀ ବାଉଁଶପୋଲ ତିଆରି କଲେ ଗାଁ ଲୋକେ

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୧୨/୦୯): ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ନିଜର କାର୍ଯ୍ୟରେ ଆନ୍ତରିକତାର ଅଭାବ ଯୋଗୁଁ ବହୁ ଗ୍ରାମାଞ୍ଚଳ ବିକାଶ ଠାରୁ ଦୂରରେ ରହିଛି | ଏହିପରି ଏକ ବାସ୍ତବ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ କୋଲାର ପଞ୍ଚାୟତ ଅନ୍ତର୍ଗତ ଗଦରାଗୁଡାରେ |

ଖଣ୍ଡିଏ ପୋଲ ନିର୍ମାଣ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବିଭାଗୀୟ ସରକାରୀ ଅଧିକାରୀଙ୍କୁ ଅଭିଯୋଗ ଜଣାଇବା ପରେ ବି କିଛି ପଦକ୍ଷେପ ନ ନେବାରୁ ଶେଷରେ ଅସ୍ଥାୟୀ କାଠ ପୋଲ ନିର୍ମାଣ କଲେ ଯୁବଗୋଷ୍ଠୀ | ଦୀର୍ଘ ବର୍ଷରୁ ଗଦରାଗୁଡା ଗାଁ ଲୋକେ ପଞ୍ଚାୟତ କାର୍ଯାଳୟ ଠାରୁ ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ପୋଲ ସମସ୍ୟା ନେଇ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଉନ୍ନତି ମୂଳକ ପଦକ୍ଷେପ ନିଆଯାଇ ନ ଥିଲା | ଏଥି ଯୋଗୁଁ ଅଖପାଖ ଅଂଚଳ ମୁଣ୍ଡାଗୁଡା, ରାମପୁର, ଗଦରାଗୁଡା, କସମଗୁଡା, ସାପଗୁଡା, ମିନରବାଲି ଗ୍ରାମର କିଛି ଯୁବକ ଗତ କାଲି ଗୁରୁବାର ଦିନ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଥିଲେ | ପଞ୍ଚାୟତ ମୁଖ୍ୟ କାର୍ଯାଳୟକୁ ଯିବାକୁ ହେଲେ ଗଦରାଗୁଡା ଓ ଗଣିପୁଟ ରାସ୍ତା ମଝିରେ ଥିବା ନାଳ ଅତିକ୍ରମ କରି ଯିବାକୁ ହୁଏ | ପୋଲ ନ ଥିବା ଯୋଗୁଁ ସାତ ଖଣ୍ଡ ଗାଁ ଲୋକେ ବର୍ଷ ତମାମ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ | ବାଉଁଶ ପୋଲ ନିର୍ମାଣ ପରେ ଟିକିଏ ଅଶ୍ଵସ୍ତି ଅନୁଭବ କରିଛନ୍ତି ଗଦରାଗୁଡା ଗ୍ରାମବାସି | ଏହି ଘଟଣାକୁ ନେଇ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ତଥା ଉକ୍ତ ପଞ୍ଚାୟତ ସମିତି ସଭ୍ୟା ସରୋଜିନୀ କାଣ୍ଡିକି ଅତିଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଯିବ ବୋଲି ମତ ରଖିଛନ୍ତି |

Comments are closed.