ନିର୍ମାଣ ଶ୍ରମିକ ଙ୍କ ସମସ୍ୟା ର ସମାଧାନ ଦାବୀରେ ଡିଏଲଓ ଅଫିସ ସମ୍ମୁଖରେ ଗଣଧାରଣା

0
190
ନିର୍ମାଣ ଶ୍ରମିକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୬/୦୯) : ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜି ବୌଦ୍ଧ ଜିଲ୍ଲା ନିର୍ମାଣ ଶ୍ରମିକ ସମନ୍ୱୟ ସମିତି ପକ୍ଷରୁ ଦାବୀ ପୁରଣ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିବାରାତ୍ର ଗଣ ଧାରଣା ଆଜିଠାରୁ ଆରମ୍ଭ ହୋଇଛି ।

ପ୍ରକାଶ ଯୋଗ୍ୟ ଯେ ୨୦୧୮-୧୯ ଶିକ୍ଷା ବର୍ଷ ଠାରୁ ଏ ଯାବତ ଜଣେ ବି ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ବାବଦ ଅର୍ଥ ପାଇନଥିବା ବେଳେ ୨୦୧୯ ମସିହାରୁ ତିନି ହଜାର ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଶ୍ରମିକ କନ୍ୟା ବିବାହ ସହାୟତା ପାଇଁ ଆବେଦନ କରିଥିବା ବେଳେ ଜଣେ ବି ଶ୍ରମିକ ବିବାହ ସହାୟତା ଟଙ୍କା ପାଇ ନାହାଁନ୍ତି ।

ଏଥିରୁ ମଧ୍ୟ ଅନେକ ଆବେଦନକାରୀ ଇତି ମଧ୍ୟରେ ୬୦ ବର୍ଷ ଅତିକ୍ରାନ୍ତ ହୋଇସାରିଥିବା ବେଳେ କିଛି ଶ୍ରମିକ ଇତିମଧ୍ୟରେ ପ୍ରାଣତ୍ୟାଗ କରିସାରିଲେଣି । ଠିକ ସେହିଭଳି ବର୍ଷ ବର୍ଷ ଧରି ସାଇକେଲ ଓ ଯନ୍ତ୍ରାସକ୍ରୟ ନିମିତ୍ତ ପାଇବାକୁ ଥିବା ସହାୟତାରୁ ବଞ୍ଚିତ ଅଛନ୍ତି ଏ ଜିଲ୍ଲାରେ ୫୪,୦୦୦ ରୁ ଉର୍ଦ୍ଧ୍ୱ ପଞ୍ଜିକୃତ ନିର୍ମାଣ ଶ୍ରମିକ । ଏ ନେଇ ବାରମ୍ବାର ଆପତ୍ତି ଅଭିଯୋଗ କଲେ ସୁଦ୍ଧା ଶ୍ରମ ବିଭାଗ ସର୍ବଦା କେବଳ ପ୍ରତିଶ୍ରୁତି ଦେଇଚାଲିଛି ।

ଏଣୁ ଆଜିର ଆନ୍ଦୋଳନରେ ହଜାର ହଜାର ଶ୍ରମିକ ଯୋଗଦେଇ ନ୍ୟାୟ ନ ପାଇଲା ପର୍ଯ୍ୟନ୍ତ ବସି ରହିବୁ ବୋଲି ଚେତାବନୀ ଦେଇଛନ୍ତି । ଶ୍ରମିକ ନେତା ଅବକାଶ ସାହୁ, ଅର୍ଜୁନ ରଣା, ପ୍ରଭାତ ମଟାଲି, ଲୋକନାଥ ଶତପଥି, ଦିଲ୍ଲିପ ବସ୍ତିଆ, ଅନୀଲ ରଥ ପ୍ରମୁଖଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରୟଦର୍ଶୀ ପ୍ରତ୍ୟୁଷ ରଥ, କଂଗ୍ରେସ ଜିଲ୍ଲା ସଭାପତି ନବକୁମାର ମିଶ୍ର, ବୁଦ୍ଧିଜୀବି ବିଶ୍ୱଜିତ ପୃଷ୍ଟି ପ୍ରମୁଖ ଯୋଗଦେଇ ନୈତିକ ସମର୍ଥନ ପ୍ରଦାନପରେ ଆନ୍ଦୋଳନକାରୀଙ୍କ ମନୋବଳ ବୃଦ୍ଧି ପାଇଛି ।

ଅପରାହ୍ନ ୦୪ ଘଟିକା ସମୟରେ ବୌଦ୍ଧ ଆଇ.ଆଇ.ସି. ମାଧବାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ଶ୍ରମିକ ସଙ୍ଗଠନ ର ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇଥିବା ବେଳେ ଆଲୋଚନା ବିଫଳ ହୋଇଥିବା ଜଣାପଡିଛି । ଏଣୁ ଏ ଆନ୍ଦୋଳନ ଆଗକୁ ନିଶ୍ଚିତ ରୁପେ ଉଗ୍ରରୁପ ନେବ ବୋଲି ଶ୍ରମିକ ସଂଘ ର ନେତୃବୃନ୍ଦ ପ୍ରକାଶ କରିଛନ୍ତି ।