Friday, March 29, 2024

Top 5 This Week

Related Posts

ଅଷ୍ଟ୍ରେଲିଆ କୁ ହରାଇ ପାକିସ୍ତାନ ର ରେକର୍ଡ ର ସମକକ୍ଷ ହେଲା ଭାରତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମହାରାଷ୍ଟ୍ର, (୨୪/୦୯) : ମହାରାଷ୍ଟ୍ର ର ନାଗପୁରରେ ଶୁକ୍ରବାର ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌କୁ ଜିତି ଯାଇଛି ଭାରତ । ଏହା ସହିତ ୩ ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୧-୧ ସ୍ତରକୁ ଆଣିଛି ଘରୋଇ ଦଳ ।

ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତୀୟ ଦଳ ପାକିସ୍ତାନ ର ଏକ ରେକର୍ଡ ର ସମକକ୍ଷ ହୋଇଛି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିବାର ରେକର୍ଡ ପାକିସ୍ତାନ ନାଁରେ ଥିଲା । ୨୦୨୧ ରେ ପାକିସ୍ତାନ ଏହି ରେକର୍ଡ ସୃଷ୍ଟି କରିଥିଲା । ସେହି ବର୍ଷ ପାକିସ୍ତାନ ୨୦ଟି, ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଥିଲା । ଗତକାଲି ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ କୁ ୬ ୱିକେଟ୍‌ରେ ହରାଇବା ସହିତ ଟିମ୍ ଇଣ୍ଡିଆ ପାକିସ୍ତାନ ର ଏହି ରେକର୍ଡ ର ସମକକ୍ଷ ହୋଇଯାଇଥିଲା ।

ଦଳ ୨୦୨୨ ରେ ଏଯାବତ୍ ୨୦ଟି, ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ସାରିଲାଣି । ଚଳିତ ବର୍ଷ ଭାରତୀୟ ଦଳ ୨୭ଟି, ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୨୦ ଟିରେ ବିଜୟ ହାସଲ କରିଛି । ଆସନ୍ତାକାଲି ପାକିସ୍ତାନ ର ରେକର୍ଡ ଭାଙ୍ଗିବାକୁ ଭାରତ ପାଖରେ ସୁଯୋଗ ରହିଛି । କାରଣ କାଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟ ହାସଲ କଲେ ଭାରତ ସିରିଜ୍ ହାତେଇବା ସହ ପାକିସ୍ତାନ ର ରେକର୍ଡ ଭାଙ୍ଗିବ ।

ଅନ୍ୟପକ୍ଷରେ ଆସନ୍ତାକାଲି ର ମ୍ୟାଚ୍‌କୁ ମିଶାଇ ଚଳିତ ବର୍ଷ ଭାରତ ସର୍ବନିମ୍ନ ୯ଟି, ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ସରିବା ପରେ ଦକ୍ଷିଣ ଆଫ୍ରିକା ଭାରତ ଆସିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୩ଟି, ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ତା’ପରେ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯିବ । ବିଶ୍ୱକପ୍‌ରେ ଗ୍ରୁପ୍ ପର୍ଯ୍ୟାୟରେ ଦଳ ୫ଟି ମ୍ୟାଚ୍ ଖେଳିବ । ଏଣୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ମ୍ୟାଚ୍ ଜିତିବାର ଏକ ବଡ଼ ରେକର୍ଡ ସ୍ଥାପନ ପାଇଁ ଦଳ ପାଖରେ ବହୁତ ସୁଯୋଗ ରହିଛି ।

ସୂଚନାଯୋଗ୍ୟ, ଗତକାଲି ନାଗପୁରରେ ଖେଳା ଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବର୍ଷା ବାଧା ସୃଷ୍ଟି କରିଥିଲା । ଫଳରେ ବହୁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା ଓ ମାତ୍ର ୮ ଓଭର ଲେଖାଏଁ ଖେଳା ଯାଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୫ ୱିକେଟ୍ ହରାଇ ୯୦ ରନ୍ କରିଥିଲା । ୯୧ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ୭.୨ ଓଭରରେ ଏହାକୁ ହାସଲ କରି ନେଇଥିଲା ।

ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୬ ରନ୍ କରି ଅପରାଜିତ ରହିଥିଲେ । ସେ ୨୦ଟି ବଲ୍‌ରୁ ୪ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ । କେଏଲ ରାହୁଲ ୧୦ ରନ୍ କରିଥିବା ବେଳେ ବିରାଟ କୋହଲି ୧୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ଖାତା ଖୋଲିପାରି ନଥିଲେ । ଦୀନେଶ କାର୍ତ୍ତିକ ୨ଟି ବଲ୍‌ରୁ ୧୦ ରନ୍ କରି ଅପରାଜିତ ରହିଥିଲେ ।

Popular Articles