ଛୁଟି ଗଡ଼ାଇ ଚାଲିଛନ୍ତି ହେଲେ ଦରମା ଗଣି ନେଉଛନ୍ତି ଖେଳ ଶିକ୍ଷୟିତ୍ରୀ

0
112
ଛୁଟି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୪/୦୯) : ଖରା ଛୁଟି ପରଠୁ ଆଉ ସ୍କୁଲରେ ପାଦ ପକାଇ ନାହାଁନ୍ତି ଖେଳ ଶିକ୍ଷୟିତ୍ରୀ । ହେଲେ ପ୍ରାୟ ୪ ମାସ ହେବ ଦରମା କିନ୍ତୁ ନେଇ ଚାଲିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ଆସିଛି ପ୍ରଶାସନିକ ଅବହେଳା ର ଏପରି ସାଂଘାତିକ ଚିତ୍ର । ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମେଣ୍ଟ୍ରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଚାନ୍ଦଙ୍କ ବିରୋଧରେ ଏ ଅଭିଯୋଗ ଆସିଛି । ଗତ ଜୁନ ୧୭ ତାରିଖରେ ସ୍କୁଲ ଖୋଲିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୀତାଞ୍ଜଳି ସ୍କୁଲକୁ ଆସି ନାହାଁନ୍ତି । ଖରା ଛୁଟି ପରଠାରୁ ଦିନେ ହେଲେ ବି ସେ ସ୍କୁଲରେ ପାଦ ଥାପି ନ ଥିବା ବେଳେ ମାସକୁ ମାସ କିନ୍ତୁ ଦରମା ନେଇ ଚାଲିଛନ୍ତି ।

ଖରା ଛୁଟି ପରେ ଜୁନ ୧୭ ତାରିଖରେ ସ୍କୁଲ ଖୋଲିଥିଲା । ମାତ୍ର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୀତାଞ୍ଜଳି ଜୁଲାଇ ୧୫ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଦରଖାସ୍ତ ଦେଇଥିଲେ । ସେ ଏହି ଦରଖାସ୍ତ ପୋଷ୍ଟାଲରେ ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠାଇଥିଲେ । ଏହା ପରଠାରୁ ସେ ୪ ଥର ଛୁଟି ବଢାଇବାକୁ ଡାକ ଦ୍ୱାରା ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠାଇଛନ୍ତି ଛୁଟି ଦରଖାସ୍ତ । ଏଥିରେ ସେ ସ୍ୱାସ୍ଥ୍ୟଗତ କାରଣରୁ ଛୁଟି ନେଉଥିବା ଉଲ୍ଲେଖ କରିଛନ୍ତି । ଏହାସହ ପାରିବାରିକ କାରଣ ଦର୍ଶାଇ ତାଙ୍କର ନିଜ ଜିଲ୍ଲା ଭଦ୍ରକକୁ ବଦଳି କରିବାକୁ ନିବେଦନ କରିଛନ୍ତି । ଏଥିନିମନ୍ତେ ସେ ଅନଲାଇନ୍‌ରେ ଆବେଦନ କରିଛନ୍ତି ।

ତେବେ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ଛୁଟିରେ ରହିବା ପରେ ମଧ୍ୟ ଜଣେ ଶିକ୍ଷକ ନିୟମିତ ଭାବେ ସମ୍ପୂର୍ଣ୍ଣ ଦରମା ପାଇ ଆସୁଛନ୍ତି । ତାଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସୂଚନା ଦେଇଥିବା କହିଛନ୍ତି ସ୍କୁଲ ର ପ୍ରଧାନ ଶିକ୍ଷକ । ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।