ନିମ୍ନ ମାନର କାମ ଯୋଗୁଁ ମାସେ ନ ପୁରୁଣୁ ଫରଙ୍ଗ-କୁମାରୀ ପିଚୁ ରାସ୍ତା ଖରାପ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଗୋଲାମୁଣ୍ଡା(୧୦/୦୯): ରାଜ୍ୟ ସରକାର ଦୁର୍ନିତି ହଟାଅ ଅଭିଯାନ ନେଇ ଡିଣ୍ଡିମ ପିଟୁଥିବାବେଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନିତି ଚରମ ସୀମାରେ ପହଞ୍ଚିଛି। ଏଠି ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ଉନ୍ନୟନ କାମ ଚାଲିଥିବାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଉନ୍ନୟନ କାମ ଗୁଡିକ ଦିନ କେଇଟାରେ ପୁର୍ବାବସ୍ଥାକୁ ଫେରି ଆସୁଛି।

ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଫରଙ୍ଗ- କୁମାରୀ ରାସ୍ତା ନିର୍ମାଣ କ୍ଷେତ୍ରରେ। ଏହି ରାସ୍ତାଟି ଉପରେ ଚିଚିଆ, ପଞ୍ଜିଆ,ଟେମରି , ଖମାରହଲଦୀ ଆଦି ପଞ୍ଚାୟତର ହଜାର ହଜାର ଲୋକ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ଦୀର୍ଘବର୍ଷ ହେଲା ରାସ୍ତାଟି ନିର୍ମାଣ ଅଭାବରୁ ଖାଲଖମାରେ ପରିପୁର୍ଣ୍ଣ ହୋଇଯିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଉକ୍ତ ରାସ୍ତାଟି ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ସରକାର ରାସ୍ତାଟିକୁ ଉନ୍ନତ ମାନର ନିର୍ମାଣ ପାଇଁ ୫୩ ଲକ୍ଷ ୬୦ହଜ଼ାର ଟଙ୍କା ଯୋଗାଇ ଦେଇଥିଲେ । ସରକାରକା ମାଲ ଦରିଆ ମେ ଡାଲ ନୀତିରେ କାମ କରି ଠିକାଦାର ପଳାଇବାପରେ ଏବେ ଦିନ କେଇଟା ମଧ୍ୟରେ ପିଚୁ ଉଠି ଖାଲ ହେଇଗଲାଣି । ବିଶେଷକରି ଠିକାଦାରଙ୍କ ଉପରେ ବିଭାଗୀୟ ଅଧିକାରୀଙ୍କ କର୍ତ୍ତୁତ୍ୱ ରହୁ ନଥିବାରୁ ସେମାନେ ମନଇଛା ନିମ୍ନମାନର କାମ କରି ଅନୁଦାନ ଅର୍ଥ ଉଠାଇବାରେ ସକ୍ଷମ ହେଉଛନ୍ତି । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହ ସେମାନଙ୍କ ସୁସମ୍ପର୍କ ଥିବାରୁ ଯନ୍ତ୍ରୀମାନେ ସେମାନଙ୍କ ବିରୁଦ୍ଧରେ ପାଟି ଖୋଲିବାକୁ ସାହାସ କରିପାରୁ ନ ଥିବା ଶୁଣିବାକୁ ମିଳିଛି । ଏପରିକି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଫିସର ମାନେ ଠିକାଦାର ଉପରେ ପଦକ୍ଷେପ ନେବାରେ ଅସହାୟ ହୋଇପଡ଼ିଛି ।

Comments are closed.