ପୁଣି ବୁହାହେଲେ କାନ୍ଧରେ ପୀଡିତା, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭରସା ହରାଉଛି

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୧୦/୦୯): କାଶୀପୁର ବ୍ଲକ ସବୁବେଳେ ଉପାନ୍ତ ଏବଂ ଅନୁନ୍ନତ ଭାବେ ପରିଚିତ ଥିବାବେଳେ ଏଯାବତ ସରକାରଙ୍କ ସବୁ ଯୋଜନା ଫସର ଫାଟିଥିବା ଘଟଣାର ପର୍ଦ୍ଦାଫାଶ କେବଳ କାଶୀପୁର ଭଳି ବ୍ଲକ ଉଦାହରଣ ସାଜିଛି | ସୂଚନା ଥାଉକି ଯେ ଜ୍ୱାଳାକୁଣ୍ଠ ଗ୍ରାମ ଗୋଡିବାଲି ପଂଚାୟତ ର ଏକ ଗ୍ରାମ ଯେଉଁଠିକି ସ୍ୱାଧୀନତାର ୭୧ବର୍ଷ ପରେ ମଧ୍ୟ ରାସ୍ତା ନ ଥିବା ଏକ ଦୁଃଖ ଏବଂ ଲଜ୍ଜାର ବିଷୟ |

ଏହି ଅଂଚଳରେ ଜ୍ୱାଳାକୁଣ୍ଠ ଗ୍ରାମରେ ୧୦ଘର ଲୋକ ଥିବାବେଳେ ଏହି ଅଂଚଳକୁ ରାସ୍ତା ନ ଥିବା ଯୋଗୁଁ ସବୁବେଳେ ଡାକ୍ତରଖାନା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଲୋକମାନେ ଯେଉଁଭଳି ଭାବେ ହନ୍ତସନ୍ତ ହେଉଛନ୍ତି | ଜ୍ୱାଳାକୁଣ୍ଠ ଗ୍ରାମର ତିଲେଇ ମାଝୀ ସ୍ବା. ଥାପି ମାଝୀ କୌଣସି ଏକ କାରଣ ବଶତଃ ରାୟଗଡା ଯାଉଥିବା ବେଳେ ଦୁର୍ଘଟଣା ଘଟି ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା କରି ପୁଣି ଘରକୁ ଆସିଥିଲେ | କିନ୍ତୁ ଆଜି ଅଧିକ ଗୁରୁତର ହେବାରୁ ତିଲେଇ ମାଝୀଙ୍କୁ ଏକ ଚାଦର କଥାରେ ବାନ୍ଧି କାଉଡି କରି ଟଙ୍କା ଭାଇ ପୂର୍ଣ୍ଣଚନ୍ଦ୍ର ମାଝୀ ଓ ଦିଅର ବିନୋଦ ମାଝୀ କାନ୍ଧରେ ବୋହି ୩କିମି ଏଭଳି ରାସ୍ତାରେ ଆଣିଥିଲେ | ଯାହାକି ଏକ ଦୁଃଖ ଓ କରୁଣା କାହାଣୀର ଅଂଶ ହୋଇରହିଗଲା | ଏହିପରି ପ୍ରେକ୍ଷୀରେ ଏଭଳି ଏକ ଘଟଣା ସେହି ପଂଚାୟତର ବଡମାଟ୍ରୁ ଗାଁରେ ଘଟିଛି ଯାହାକି ହୃଦୟ ବିଦାରକ ଏବଂ ଲଜ୍ଜା ଜଣକ | ବଡମାଟ୍ରୁ ଗାଁର ରାଧେ ମାଝୀ ଗର୍ଭବତୀ ଥିବାବେଳେ ସେହି ଗ୍ରାମକୁ ଗମନାଗମନ ର ୩କିମି ପର୍ଯ୍ୟନ୍ତ ରାସ୍ତା ନ ଥିବା ବେଳେ ଶେଷ ମୁହୂର୍ତ୍ତରେ ସେହି ଗର୍ଭବତୀ ମହିଳା ମୃତ୍ୟୁବରଣ କରିଥିଲେ | ଏ ଘଟଣା ପଦାକୁ ଆସିବା ପରେ ଆମ ପ୍ରତିନିଧି ଫୋନ ଯୋଗେ ଉକ୍ତ ପଂଚାୟତ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ଜୟନ୍ତୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଏହି କଥାକୁ ମାନିଥିଲେ କିନ୍ତୁ ସେ ସମୟରେ ଦିଲ୍ଲୀରେ କୌଣସି ଏକ ଟ୍ରେନିଂ ପାଇଁ ଯାଇଥିବାରୁ ଘଟଣା ପରେ ଜାଣିଥିବା କହିଥିଲେ | ଏ ପରିପ୍ରେକ୍ଷୀରେ ଆମେ ଯେତେବେଳେ କାଶୀପୁର ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ନେତ୍ରାନନ୍ଦ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ୧୦୨ ଗାଡି ସେଠାକୁ ପଠାଯାଇଥିଲା କିନ୍ତୁ ଉକ୍ତ ମହିଳା ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କକୁ ଯିବାକୁ ମନାକରିଥିଲେ |

ହେଲେ ପ୍ରଶ୍ନ ରହିଲା ଯେ ଗର୍ଭବତୀ ମହିଳାମାନେ ଚିକିତ୍ସା ପାଇଁ ମେଡିକାଲ ଯିବା ଅପେକ୍ଷା ଘରେ ପ୍ରସୂତି କରିବା ପସନ୍ଦ କରୁଥିବାରୁ ମୁଖ୍ୟ କାରଣ ଆମର ସ୍ୱାସ୍ଥ୍ୟ ସେବା ନା ସଚେତନର ଅଭାବ ନା ଆଉ କିଛି | ଏହାର ଉତ୍ତର ନ ବାହାର କଲେ ଏଭଳି ଘଟଣା ବାରମ୍ବାର ପୁନରାବୃତ୍ତି ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି | ଜ୍ୱାଳାକୁଣ୍ଠ ର ଯୁଗୁ ମାଝୀଙ୍କ କହିବା ଅନୁଯାୟୀ ଏ ଜବତ ରାସ୍ତା ହୋଇ ନ ଥିବା ଯୋଗୁଁ ଏଭଳି ସମସ୍ୟା ଦେଖା ଦେଉଥିବା ବେଳେ ଅନେକାଂଶରେ ଅନେକ ଜୀବନ ଚିକିତ୍ସା ନ ହୋଇ ପାରିଥିବାରୁ ଚାଲିଯାଉଛି | ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଏବଂ ସରକାର ଦୃଷ୍ଟି ନିକ୍ଷେପ କରିବା ପାଇଁ ଗୋଡିବାଲି ସରପଞ୍ଚ ଶ୍ରୀ ଲକ୍ଷ୍ମୀକାନ୍ତ ମାଝୀ ମଧ୍ୟ ନିବେଦନ କରିଛନ୍ତି |

Comments are closed.