Friday, March 29, 2024

Top 5 This Week

Related Posts

କଣ୍ଟାବାଞ୍ଜି ଲଜ୍ ରୁ ଟଙ୍କା ଜବତ ମାମଲା : ଅଧାଟଙ୍କା ହଡପ ଅଭିଯୋଗ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୯/୦୯) : ଗତ ୧୬ ତାରିଖ ରାତିରେ କଣ୍ଟାବାଞ୍ଜି ର ଶ୍ରୀ ଅନ୍ନପୂର୍ଣ୍ଣା ହୋଟେଲରେ କଣ୍ଟାବାଞ୍ଜି ପୁଲିସ୍ ର ଅଚାନକ ଚଢାଉରେ ୭ ଜଣ ରାଜ୍ୟ ବାହାର ର ଆନ୍ଧ୍ର ଦାଦନ ଶ୍ରମିକ ଚାଲାଣକାରୀ ସେଠଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣ ର ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ।

ସେମାନଙ୍କୁ କଣ୍ଟାବାଞ୍ଜି ଲଜ୍ ରୁ ଗିରଫ କରି ଥାନାକୁ ନେବା ପରେ ଏସ୍ ଡି ପି ଓ ଡ. ହୃଷିକେଶ ମେହେରଙ୍କ ଦ୍ୱାରା ପରଦିନ ପୂର୍ବାହ୍ଣରେ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ମେହେର ଅଭିଯୁକ୍ତମାନଙ୍କୁ ଜୁଆଡି ଓ ସେମାନଙ୍କ ଠାରୁ ଜବତ କରିଥିବା ଟଙ୍କା ର ପରିମାଣ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ବୋଲି ସୂଚନା ଦେଇଥିଲେ । ଏହା ସେଠାରେ ଉପସ୍ଥିତ ଗଣମାଧ୍ୟମ ର ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟନ୍ଵିତ ଓ ପ୍ରତିକ୍ରିୟାଶୀଳ କରିଥିଲା ।

ଗଣମାଧ୍ୟମ ର ପ୍ରତିନିଧି ମାନଙ୍କ ସହ କଥା କଟାକଟି ହେବାରୁ ଏସ୍ ଡି ପି ଓ ଶ୍ରୀ ମେହେର ହଡବଡେଇ ଯାଇ ଅଧାରୁ ସାମ୍ବାଦିକ ସମ୍ମିଳନୀରୁ ଉଠିଯାଇ ‘ ଆଇନ୍ ତା’ ବାଟରେ ଯିବ ‘ ବୋଲି ସଫେଇ ଦେଇଥିଲେ । ଏହି ଗିରଫ ଅଭିଯୁକ୍ତମାନେ ଜୁଆଡି ନୁହଁନ୍ତି । ବରଂ ତେଲେଙ୍ଗାନାରୁ ସ୍ଥାନୀୟ ସର୍ଦ୍ଦାରଙ୍କୁ ଦାଦନ ଶ୍ରମିକଙ୍କୁ ଚାଲାଣ କରିବାକୁ ବଇନା ଦେବାକୁ ଆଣିଥିବା ୧ କୋଟି ୮ ଲକ୍ଷ ଟଙ୍କା ବୋଲି ଲଜ୍ ର ମ୍ୟାନେଜର ଓ ଅନ୍ୟ ସର୍ଦ୍ଦାରମାନଙ୍କ ସୂତ୍ରରୁ ସ୍ପଷ୍ଟ ହେବାରୁ ଏହାପରେ ଅନ୍ୟାନ୍ୟ ମିଡିଆରେ ମଧ୍ୟ ଏହି ବିଷୟରେ ପ୍ରକାଶ ପାଇଥିଲା ।

ତେଣୁ ପୁଲିସ୍ କାହିଁକି ଆଗରୁ ପ୍ରାୟ ପ୍ରତି ବର୍ଷ ଆସି ଏହି ହୋଟେଲ ସମେତ ଅନ୍ୟାନ୍ୟ ଲଜ୍ ରେ ରହୁଥିବା ଦାଦନ ସେଠଙ୍କୁ ମିଛରେ ଜୁଆଡି ସଜାଇ ଜବତ ଅଧାଟଙ୍କା ଚାପି ଦେଇଛି ଏ ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜିବୀ, ଆଇନଜିବୀ, ରାଜନେତା ଓ କେତେକ ଲୋକପ୍ରତିନିଧି ବା ସ୍ଥାନୀୟ କାଉନସିଲର୍ ମାନେ ଖୋଲା ଖୋଲି ସ୍ୱରୋତ୍ତଲନ କରିଥିଲେ । ତଥାପି ପୁଲିସ୍ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ କହିଥିବା ସତ୍ତ୍ୱେ ଥାନାରୁ ନୋଟିସ୍ ଦେଇ ସ୍ଥାନୀୟ ଦାଦନ ସର୍ଦ୍ଦାରମାନଙ୍କ ହେପାଜତରେ ଛାଡିଦେଇଥିଲା ।

ସେମାନଙ୍କୁ ହେପାଜତରେ ଥାନାରୁ ନେଇଥିବା ଦାଦନ ଚାଲାଣ କରୁଥିବା ବିଜେପି ନେତା ଖୁଟୁଲୁମୁଣ୍ଡା ର ଲକ୍ଷେ ବାଗ ଓ ଏସଡିପିଓଙ୍କ ପାଖକୁ ଆସି ପରାମର୍ଶ ଦେଉଥିବା ଜଣେ କଂଗ୍ରେସ ବିଧାୟକ ଙ୍କ ପାଖଲୋକ ଜିଲ୍ଲା ପରିଷଦ ସଭ୍ୟ ଝରଣୀ ର କୌଶିକ ମେହେର ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏ ସମ୍ପର୍କରେ ଜନ ପ୍ରତିକ୍ରିୟା ସୃଷ୍ଟି ହେବାରୁ ବଲାଙ୍ଗୀର ଏସ୍ ପି, ଅତିରିକ୍ତ ଏସ୍ ପି ସୁରେଶ ନାୟକଙ୍କୁ ପଠାଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିରୁ ଜଣେ ମାଜିଷ୍ଟ୍ରେଟ୍ ଭାବେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଜବତ ଟଙ୍କା ର ପୁନଃଗଣନା କରାଯିବାରୁ ଥାନରେ ଥିବା ଆଉ ଏକ ବ୍ୟାଗ୍ ରୁ ଅଧିକ ୧୩ ଲକ୍ଷ ଟଙ୍କା ବାହାରିଥିବା ଓ ଏଥିରେ ଅନିୟମିତତା ହୋଇଥିବା ଏସ୍ ପି ସ୍ୱୀକାର କରିଥିବା ପ୍ରକାଶ ।

ଏହାପରେ ବଲାଙ୍ଗୀର ଏସ୍ ପି ନୀତିନ୍ କୁଶଳକରଙ୍କ ନିର୍ଦ୍ଦେଶରେ ଉକ୍ତ ଏସଡିପିଓଙ୍କ ଠାରୁ ଏଣୁ ଏଣିକି ସମସ୍ତ ମାମଲା ର ତଦନ୍ତ ଦାୟିତ୍ୱ କାଢିନିଆଯିବା ସହ ତାଙ୍କୁ ବଲାଙ୍ଗୀର ଏସ୍ ପି ଅଫିସ୍ କୁ ବଦଳି କରିଦିଆଯାଇଥିବା ପ୍ରକାଶ । ଆହୁରି ମଧ୍ୟ ଏସ୍ ପି କଣ୍ଟାବାଞ୍ଜି ଥାନାଧିକାରୀ ବାମଦେବ ଶଙ୍ଖୁଆଳ, ଜବତ ସ୍କ୍ୱାଡ଼ରେ ଯାଇଥିବା ଏ ଏସ ଆଇ ମନୋଜ ବିଶି, କନେଷ୍ଟବଳ ଚନ୍ଦ୍ର ଶେଖର ବାଗ ପ୍ରମୁଖଙ୍କୁ ଜଣ ଜଣ କରି ଜେରା କରିଥିବା ସହ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସମେତ ଗୃହ ବିଭାଗକୁ ଜଣାଇଦେଇ ଏଥିରେ ଜଡିତ ସମସ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ଯେ, ପ୍ରାପ୍ତ ଖବରରୁ ଛଡାଯାଇଥିବା ଅଭିଯୁକ୍ତ ସେଠ୍ ମାନଙ୍କ ମଧ୍ୟରୁ ଅଦ୍ୟାବଧି ତିନିଜଣଙ୍କ ସମେତ ଏସଡିପିଓଙ୍କ ସହିତ କଣ୍ଟାବାଞ୍ଜି ର ୨ ଜଣ ଘନିଷ୍ଠ ପାଖ ଲୋକଙ୍କୁ ପୁଲିସ୍ ଜେରା କରୁଥିବା ପ୍ରକାଶ ।

ତେଣୁ ଏହି ଘଟଣାରେ ଜଡିତ ଥିବା ଅନ୍ୟ ପ୍ରଭାବଶାଳୀ ରାଜନେତା, ବ୍ୟକ୍ତିବିଶେଷ ଓ ଥାନାଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । ଚଢାଉରେ କୋଟିଏରୁ ଅଧିକ ଟଙ୍କା ଜବତ ହୋଇଥିବା ଓ ସେହିଟଙ୍କା କାହାପାଖରେ ରହିଛି ବାହାର କରିବାକୁ ମଧ୍ୟ ଦାବି ହେଉଛି ।

ଉଲ୍ଲେଖନୀୟ ଯେ ଏହି ଏସଡିପିଓ ଜଣକ କିଛିବର୍ଷ ଆଗରୁ ଜଣେ ପ୍ରୋବେସନର ଭାବେ କଣ୍ଟାବାଞ୍ଜି ଥାନାରେ ଥିଲାବେଳେ ଜଣେ ଦାଦନସର୍ଦ୍ଦାର ଠାରୁ ୪୦ ହଜାର ଟଙ୍କା ବଟି ଆଣି ଧରାପଡିବାରୁ ତାଙ୍କୁ ତତ୍କାଳୀନ ଏସ୍ ପି ସନ୍ତୋଷ ବାଳାଙ୍କ ଅମଳରେ ବରଗଡକୁ ବଦଳି ହୋଇଥିଲା । ଏଥର ତାଙ୍କର ଭିଜିଲାନ୍ସକୁ ବଦଳି ହେଉଥିଲେ ହେଁ, ସେ ଏହାକୁ ବାତିଲ୍ କରାଇ କେବଳ ଦାଦନ ଚାଲାଣ ଋତୁ ନିମନ୍ତେ କଣ୍ଟାବାଞ୍ଜିରେ ରହିଯାଇଥିବା ଓ ଏଥିପାଇଁ ୧୨ ଲକ୍ଷ ହାତଗୁଞ୍ଜା ଦେଇଥିବା ଏବଂ ସେ ତାଙ୍କର ପ୍ରକୃତ ଜାତିଗତ ପ୍ରମାଣପତ୍ରରେ ଚଞ୍ଚକତା କରିଆସିଥିବା ଇତ୍ୟାଦି ର ଚର୍ଚ୍ଚା ହେଉଥିଲେ ହେଁ ସେ ଏପରି ଅଭିଯୋଗକୁ ଅସ୍ୱୀକାର କରନ୍ତି ।

ସେ ଯାହାହେଉ, ଏହି ଜବତ ଲକ୍ଷାଧିକ ଟଙ୍କା ହଡପ ଓ ପୂର୍ବରୁ ଚଳିତ ବର୍ଷ ର ବହୁ ଚର୍ଚ୍ଚିତ ସିନ୍ଧେକେଲା ଥାନା ର ମାମଲା ଝରଣୀ ଗ୍ରାମ ର ମମିତା ମେହେର ଅପହରଣ ଓ ହତ୍ୟା ମାମଲାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ ନ କରିବା ସହିତ ଟିଟିଲାଗଡ ଥାନା ବାରେକ ରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର୍ ଘଟଣା ଏବଂ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଦୁଇଜଣ ଡାକ୍ତରୀ ଛାତ୍ରୀ ଙ୍କର ରାଗିଂ ଯୋଗୁଁ ମୃତ୍ୟୁ ବା ହତ୍ୟା ଅଭିଯୋଗ ସହିତ ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡ ଓ ଦିନ ଦ୍ଵିପ୍ରହରରେ ଅଳଙ୍କାର ଦୋକାନରେ ରକ୍ତାକ୍ତ ଡକାୟତି ଘଟଣାଦି ର ତଦନ୍ତରେ ଅବହେଳା ବଲାଙ୍ଗୀର ପୁଲିସ୍ ଜନସାଧାରଣଙ୍କର ଆସ୍ଥା ହରାଇଛି । ଏଣୁ ବଲାଙ୍ଗୀର ପୁଲିସ୍ ପ୍ରଶାସନ ର ସମୂଳେ ପରିବର୍ତ୍ତନ ଜିଲ୍ଲାବାସୀ ସରକାରଙ୍କ ଠାରେ ଦାବି କରନ୍ତି ।

Popular Articles