Related Contents

ସଡ଼କ ଦୁର୍ଘଟଣା, ବସ ଧକ୍କାରେ ଅଧ୍ୟାପକଙ୍କ ମୃତ୍ୟୁ

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର(୦୭/୦୯): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କେରଙ୍ଗେଲାବାହାଲ ଠାରେ ଏକ ଯାତ୍ରୀବାହୀ ବସଗାଡି ଧକ୍କାରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ମୃତ ଅଧ୍ୟାପକ ଜଣକ ପାଇକମାଲ ବ୍ଲକ ଖରସିବାଞ୍ଜି ଗ୍ରାମର ଧବଳେଶ୍ବର ସାହା(୩୫) ବୋଲି ଜଣାପଡିଛି । ତାଙ୍କ ପଛକୁ ସ୍ତ୍ରୀ ଓ ଏକବର୍ଷର ଝିଅ ରହିଛନ୍ତି ।

ସୂଚନା ମୁତାବକ ଧବଳେଶ୍ବର ପାଇକମାଲ ବ୍ଲକ ମାଣ୍ଡୋସିଲି କଲେଜରେ ଇଂରାଜୀ ଅଧ୍ୟାପକ ରହିଥିଲେ । ଆଜି କଲେଜକୁ ଯିବାପାଇଁ ନିଜ ଗ୍ରାମ ଖରସିବାଞ୍ଜିରୁ ଆସି କେରଙ୍ଗେଲାବାହାଲ ଛକରେ ବସଗାଡ଼ି ଅପେକ୍ଷାରେ ଥିଲେ । ପଦ୍ମପୁର ପଟରୁ ନୂଆପଡ଼ା ପଟକୁ ଯାଉଥିବା ଗୌରବ ନାମକ ଯାତ୍ରୀବାହୀ ବସରେ ତାଙ୍କ ଧକ୍କା ହୋଇଥିଲା ଏବଂ ସେ ତଳେ ପଡ଼ି ଯାଇଥିଲେ । ତୁରନ୍ତ ଶ୍ରୀ ସାହାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ସାହାଙ୍କୁ ମୃତ ଘୋଷିତ କରିଥିଲେ । ଅଧ୍ୟାପକ ଧବଳେଶ୍ବର ସାହାଙ୍କ ଏତାଦୃଶ ମୃତ୍ୟୁରେ ପାଇକମାଲ ଓ ପଦ୍ମପୁର ଅଞ୍ଚଳରେ ଶୋକାକୁଳ ପରିବେଶ ରହିଅଛି । ମାଣ୍ଡୋସିଲି କଲେଜରେ ଆଜି ଶ୍ରୀ ସାହାଙ୍କ ଆତ୍ମାର ସଦଗତି ଓ ଶାନ୍ତି ପାଇଁ ଦୁଇ ମିନିଟ ଶୋକସଭା ପାଳନ କରାଯାଇ ଛୁଟି ଘୋଷଣା କରାଯାଇଥିଲା । କଲେଜର ସମସ୍ତ ଷ୍ଟାଫ୍ ଓ ଛାତ୍ରଛାତ୍ରୀ ମାନେ ଧବଳେଶ୍ବରଙ୍କ ଶେଷ ଦର୍ଶନ କରିଯାଇଥିବାର ଅଧ୍ୟାପକ ଶ୍ରୀ ସନ୍ତୋଷ ସିଂ ଠାକୁରଙ୍କ ଠାରୁ ସୂଚନା ମିଳିଛି ।

Comments are closed.