Thursday, March 28, 2024

Top 5 This Week

Related Posts

ବିଜେପି ର ଟାଣୁଆ ନେତା ବିଷ୍ଣୁ ସେଠୀଙ୍କ ପରଲୋକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୦୯) : ଭଦ୍ରକ ଜିଲ୍ଲା ଧାମନଗର ର ବିଜେପି ବିଧାୟକ ତଥା ବିରୋଧୀ ଦଳ ର ଉପନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳୁ ପରଲୋକ ହୋଇଛି । ମାତ୍ର ୬୧ ବର୍ଷ ବୟରେ ଆଖି ବୁଜିଛନ୍ତି ବିଜେପି ର ଏହି ଟାଣୁଆ ନେତା ।

ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ ବର୍ଷେ ହେଲା କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା । ତେବେ ମାସକ ତଳେ ତାଙ୍କର ଲଙ୍ଗ୍ସ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଛି । ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ପ୍ରାୟ ୭ଟା ୪୫ ମିନିଟ୍‌ରେ ଆଖି ବୁଜିଛନ୍ତି ବିଜେପି ର ଏହି ପୁରୁଖା ନେତା । ଏ ନେଇ ଏମ୍ସ ର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ବିଷ୍ଣୁ ସେଠୀଙ୍କ ପତ୍ନୀଙ୍କ ସମେତ ପୁଅ ଓ ଝିଅ ଅଛନ୍ତି ।

ବିଷ୍ଣୁ ସେଠୀ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ରାଜ୍ୟ ରାଜନୀତିରେ ସେ ବିଜେଡି ସରକାରଙ୍କର ଜଣେ କଡା ସମାଲୋଚକ ଭାବେ ପରିଚିତ ଥିଲେ । ଜଣେ ରାଜନେତା ବାଦ ସେ ଜଣେ ଲେଖକ ଓ ସାହିତ୍ୟିକ ଭାବେ ମଧ୍ୟ ବେଶ୍‌ ପରିଚିତ ଥିଲେ ।

ବିଷ୍ଣୁ ସେଠୀ ଏବେ ବିଧାୟକ ଥିବାରୁ ତାଙ୍କ ମର ଶରୀରକୁ ପ୍ରଥମେ ବିଧାନସଭା ନିଆଯିବ । ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତ ବିଷ୍ଣୁ ସେଠୀଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ସେଠାରୁ ତାଙ୍କ ମର ଶରୀରକୁ ବିଜେପି ପାର୍ଟି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି ର ବରିଷ୍ଠ ନେତା ସେମାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ବିଷ୍ଣୁ ସେଠୀ ଏକାଧାରରେ ଜଣେ ରାଜନେତା ଓ ସାହିତ୍ୟିକ ଥିଲେ । ସେ ୨୦୦୦ ରୁ ୨୦୦୪ ଯାଏଁ ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ୨୦୦୬ ରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାଜୁ ଉନ୍ନୟନ ନିଗମ ର ଅଧ୍ୟକ୍ଷ କରାଯାଇଥିଲା । ୨୦୧୯ ରେ ସେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ ।

ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲେ ବିଷ୍ଣୁ । ରାଜନୈତିକ ଜୀବନ ପୂର୍ବରୁ ଆରଏସଏସରେ ସକ୍ରିୟ ସଦସ୍ୟ ଥିବା ବିଷ୍ଣୁ ପରବର୍ତ୍ତୀ ସମୟରେ ବିଜେପି ଯୁବ ମୋର୍ଚ୍ଚାରେ ସାମିଲ ହୋଇଥିଲେ । ପରେ ବିଜେପି ଜାତୀୟ କାଉନସିଲର ସଦସ୍ୟ, ଭଦ୍ରକ ଜିଲ୍ଲା ବିଜେପି ସଭାପତି, ଜନଜାତି ମୋର୍ଚ୍ଚା ର ଉପସଭାପତି, ବିରୋଧୀ ଦଳ ଉପନେତା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ ବିଷ୍ଣୁ । ଏତିକିରେ ସୀମିତ ନଥିଲା ବିଷ୍ଣୁଙ୍କ ପରିଚୟ ।

ସାମ୍ବାଦିକତା ଓ ସାହିତ୍ୟିକ କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ସୁନାମ । ବିଶେଷ ଖବର, ଘାସଫୁଲ, ଶିରୋନାମା ଶିରୋଧାର୍ଯ୍ୟ ଭଳି ଏକାଧିକ ମାଗାଜିନର ଦାୟିତ୍ୱ ସମ୍ଭାଳିଛନ୍ତି ବିଷ୍ଣୁ । ‘ନିରାମୟ ଆକାଶ ତଳେ’ ଓ ‘ନିଶ୍ୱ ମାଟିର ସ୍ୱର’ ନାମକ ଦୁଇଟି କାବ୍ୟ ପୁସ୍ତକର ରଚୟିତା ଥିଲେ ବିଷ୍ଣୁ ।

୧୯୬୧ ମସିହା ଜୁନ୍ ୫ ରେ ସେ ଭଦ୍ରକ ଜିଲ୍ଲା ତିହିଡିରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ହିଁ ମାଁ ଙ୍କୁ ହରାଇଥିବା ବିଷ୍ଣୁଙ୍କୁ ବାପା ଗୟାଧର ସେଠୀ ମଣିଷ କରିଥିଲେ । ଭଦ୍ରକ ଜିଲ୍ଲା ତିହିଡି ହାଇସ୍କୁଲରୁ ମାଟ୍ରିକ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିଥିଲେ । ପରେ ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ ବିଷ୍ଣୁ ।

Popular Articles