ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୯/୯) : ରାୟଗଡ଼ା ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂ ଙ୍କ କଡ଼ା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଙ୍କ ନିର୍ଦ୍ଦେଶକ୍ରମେ ଜୋରଦାର ଚଢ଼ାଉ କରାଯାଉଛି ।
ଅବକାରୀ ଅଧିକ୍ଷକ ରାୟଗଡ଼ା ଶ୍ରୀ ଅଭିରାମ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁଡ଼ାରୀ, ଅବକାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମୁଣ୍ଡା ଲୋହାର ଏବଂ ତାଙ୍କ ଅଧିନସ୍ଥ କର୍ମଚାରୀ ୧୮/୯/୨୨ ତାରିଖ ଦିନ ରାୟଗଡ଼ା ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ବେଳେ ୪୪.୦ କେଜି ଗଞ୍ଜେଇ ସହ ଡେମା ଶବର ନାମକ ଅଭିଯୁକ୍ତଙ୍କୁ ପଦ୍ମପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରୁ ଗିରଫ କରିଥିଲେ । ସେହି ଅଭିଯୁକ୍ତ ଜଣକ ଅଡବା ଥାନା ର ତଳ ଡାକରପଙ୍ଗା ଗ୍ରାମ ର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଗୋଟିଏ ଦିନରେ ୯ ଗୋଟି ମାମଲା ରୁଜ୍ଜୁ କରାଯାଇ ୬ ଜଣକୁ ଗିରଫ କରାଯାଇଛି । ଉକ୍ତ ଧରପଗଡରେ ୪୪ କେଜି ଗଞ୍ଜେଇ ସହ ୪୧୦ ଲିଟର ଦେଶୀ ମଦ, ୪୪୩୦ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବନ୍ଧକରଞ୍ଜା ଗ୍ରାମର ଦୟା କୌଶଲ୍ୟା, ଶେସଖାଲ ଥାନା ଅନ୍ତର୍ଗତ ମାଣ୍ଡାଙ୍ଗିଗୁଡା ଗ୍ରାମର ତାଡିଙ୍ଗି ବାଲାଜୀ, ମିରାବାଲି ଗ୍ରାମର ଆନନ୍ଦ ରତ୍ନାଲୁ ।
ପ୍ରକାଶଯୋଗ୍ୟ ଯେ, ୧୮/୯/୨୦୨୨ ରେ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଦ୍ୱାରା ଉକ୍ତ ଗଞ୍ଜେଇ ଚୋରା ଚାଲାଣରେ ମୂଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କେଶବ ପାଡାଲ / ମାଝୀ କୁ ରୁପକଣା ଛକ ଠାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉକ୍ତ ମାମଲା ର ତଦନ୍ତ ଜାରି ରହିଛି । ଆଗାମୀ ଦିନରେ ଏହି କେସରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ସୂଚନା ମିଳିଛି । ତେବେ ରାୟଗଡ଼ା ଅବକାରୀ ବିଭାଗ ର ଏପରି ଆକ୍ସନ ମୁଡ ଯୋଗୁଁ ଜହର ବେପାରୀଙ୍କ ମନରେ ଛନକା ପଶିଯାଇଛି ।