ଆକ୍ସନ ମୁଡରେ ଯାଜପୁର ଜିଲ୍ଲାପାଳ, ନିଲମ୍ବିତ ହେଲେ ୧୦ପଞ୍ଚାୟତ ଅଧିକାରୀ

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୦୪/୦୯): ଯାଜପୁର ଜିଲ୍ଲାପାଳଙ୍କ ବଡ଼ ପଦକ୍ଷେପ | ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ଜଣ ପଂଚାୟତ ଅଧିକାରୀ ନିଲମ୍ବିତ | ଦାୟିତ୍ୱ ହସ୍ତାନ୍ତର ନ କରିବା, ବ୍ଲକର ବୈଠକରେ ଯୋଗ ନ ଦେବା ଇତ୍ୟାଦି ଅଭିଯୋଗରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ୧୦ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ୨ଜଣ, ଯାଜପୁର ବ୍ଲକର ୨ଜଣ, ବଡଚଣା ବ୍ଲକର ୨ଜଣ, ଦାନଗଦୀ ବ୍ଲକ୍ ର ୪ଜଣକୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ କୋରେଇ ବ୍ଲକର ମଦନ ମୋହନ ପ୍ରଧାନ, ଜଗନ୍ନାଥ ମାଝି, ଯାଜପୁର ବ୍ଲକର ଲକ୍ଷ୍ମୀଧର ଦାସ, ସୁବାସ ସାମଲ, ବଡଚଣା ବ୍ଲକର ଦେବେନ୍ଦ୍ର ପୁହାଣ, ସିଦ ମୁଣ୍ଡୁରୀ, ଦାନଗଦୀ ବ୍ଲକ୍ର ଅର୍ଜୁନ ଚରଣ ବରାଳ, ରାମଚନ୍ଦ୍ର ଦାସ, ସୂର୍ଯ୍ୟମଣୀ ପଟ୍ଟନାୟକ ଓ ଉମେଶ ଚନ୍ଦ୍ର ସେଠୀ । ନିଲମ୍ବନ ସମୟରେ ସେମାନଙ୍କ ହେଡକ୍ୱାଟର ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଯାଜପୁର କାର୍ଯ୍ୟାଳୟକୁ ଅବସ୍ଥାପିତ କରାଯାଇଛି । ଉପରୋକ୍ତ ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କୁ କାର୍ଯ୍ୟ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ୫ଟି ମାଧ୍ୟମରେ ସୁଯୋଗ ଦିଆଯାଇଥିଲେ ମଧ୍ୟ କିଛି ଅବହେଳା କରିବାରୁ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ରିପୋର୍ଟକୁ ଭିତ୍ତିକରି ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି |

Comments are closed.