କଲରାପତରିଆ ବାଘ ଶିକାର ଘଟଣାରେ ବାବା ସମେତ ୬ ଗିରଫ

0
118
କଲରାପତରିଆ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୯) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ଗ୍ରାମ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ସୂଚନା ମୁତାବକ ବିଦ୍ୟୁତ ଫାଶ ପକାଇ ଜନ୍ତୁ ଶିକାର କରାଯାଉଥିବା ବେଳେ ଜୀବନ୍ତ ବିଦ୍ୟୁତ ସଂସ୍ପର୍ଶରେ ଆସି କଲରାପତରିଆ ବାଘ ର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ବାଘ ର ୪ ଟି ପଞ୍ଝା, ନଖ, ଦାନ୍ତ ନେଇ ଦୁର୍ବୃତ ମାନେ ଫେରାର ହୋଇ ଯାଇଥିଲେ । ଅନ୍ୟପଟେ ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ପ୍ରାୟ ୫ ଦିନ ପରେ ବାଘ ମୃତ୍ୟୁ ଖବର ଜଣା ପଡିଥିଲା । ସ୍ଥାନୀୟ କିଛି ଲୋକ ଜଙ୍ଗଲକୁ ଛେଳି ଚରାଇ ଯାଇଥିବା ବେଳେ ବାଘଟିର ଗଳିତ ମୃତ ଦେହ ଦେଖିବାକୁ ପାଇଥିଲେ ।

ଏ ନେଇ ବନ ବିଭାଗ ଅଧିକାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ବାଘପାଲି ଜଙ୍ଗଲ ଭିତରେ ଥିବା ମଠ ର ମଠାଧିଶ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀ (୪୮) ଙ୍କ ସମେତ କୋଟସମଲାଇ ଗ୍ରାମ ର ସୁରେନ୍ଦ୍ର ପଧାନ (୪୦), ବିଜୁ ଗୁରୁ (୨୭), ନାକଡେଇଁ ଗ୍ରାମ ର ରାମଚନ୍ଦ୍ର ପୁରୋହୀତ (୪୫), ବାଘପାଳି ଗ୍ରାମ ର ପୁରନ୍ଦର ଥାଟି (୩୩) ଏବଂ ସୋନପୁର ସଦର ପଟାଭାଡି ସାହି ର ସତ୍ୟ ନାରାୟଣ ମେହେର (୪୮) ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଶିକାରୀଙ୍କ ପାଖରୁ ବାଘ ର ୪ ଟି ପଞ୍ଝା ସମେତ କିଛି ନଖ ଏବଂ ଦାନ୍ତ ଜବତ କରାଯାଇଛି ।

ତଦନ୍ତ ସମୟରେ ମଠାଧିଶ ତଥା ସନ୍ଥ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀ ବାଘ ଶିକାର ଘଟଣାରେ ମୂଖ୍ୟ ଅଭିଯୁକ୍ତ ରହିଥିବା ଜାଣିବାକୁ ପାଇଥିବା ବେଳେ ମଠ ଭିତରୁ ବାଘ ର ୪ଟି ପଞ୍ଝା ଜବତ କରାଯାଇଥିଲା । ସେହିପରି ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମାନଙ୍କ ଠାରୁ କିଛି ବାଘ ନଖ ଏବଂ ଦାନ୍ତ ସମେତ ବାଘ ଶିକାରରେ ବ୍ୟବହାର ହୋଇଥିବା କିଛି ସାମଗ୍ରୀ ଜବତ କରାଯାଇଛି ।

ଅନ୍ୟପଟେ କାହିଁକି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଉପରୀସ୍ଥ ଅଧିକାରୀ ସୁରକ୍ଷା ଦେଉଛନ୍ତି ତାହା ସାଧାରଣରେ ଗୋଟିଏ ପ୍ରଶ୍ନ ହୋଇ ରହିଯାଇଛି । ଏ ନେଇ ଏସିଏଫ ପ୍ରଫୁଲ୍ଲ କୁମାର ଧରୁଆଙ୍କୁ ପଚାରିବାରୁ ଘଟଣା ର ଅଧିକ ତଦନ୍ତ ଜାରି ରହିଛି ଏବଂ ଖୁବଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।