Friday, March 29, 2024

Top 5 This Week

Related Posts

ଲମ୍ପି ଭାଇରସ୍ ଆତଙ୍କ : ୧୪ ଜିଲ୍ଲାକୁ ସତର୍କ ସୂଚନା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୫/୦୯) : ଏବେ ମହାମାରୀ କବଳରେ ଗୋରୁ ଗାଈ । ଏହି ଗୃହପାଳିତ ପ୍ରାଣୀଙ୍କ ଉପରକୁ ମାଡ଼ି ଆସିଛି ଲମ୍ପି ଭାଇରସ୍ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଏହି ସ୍କିନ୍ ରୋଗ

ଲମ୍ପି ପଞ୍ଝାରେ କବଳିତ ହୋଇ ସାରିଲାଣି ଦେଶ ର ୮ଟି ରାଜ୍ୟ । ବିଶେଷ କରି ମଇଁଷିଙ୍କ ଦେହରେ ଦେଖାଦେଉଛି ଏହି ଲମ୍ପି ଭାଇରସ୍ । ଗୋଟିଏ ପରେ ଗୋଟିଏ ରାଜ୍ୟର ଗୋରୁ ଗାଈ ଏହି ରୋଗ ଦ୍ୱାରା କବଳିତ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ, ବାଲେଶ୍ୱର, ଝାରସୁଗୁଡା, ଗଞ୍ଜାମ ସମେତ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପ୍ରାଣୀ ସମ୍ପଦ ବିଭାଗ । ବିଶେଷ ଭାବେ ସୀମାନ୍ତ ଜିଲ୍ଲା ର ବ୍ଲକ ଗୁଡିକ ଉପରେ ଖାସ ନଜର ରଖାଯାଇଛି । ଆନ୍ତଃରାଜ୍ୟ ଗୋ-ମଇଁଷି ପରିବହନ ଉପରେ ମଧ୍ୟ କଡ଼ା କଟକଣା ଲଗାଇଛି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ।

ଲମ୍ପି ଭାଇରସ୍ ନିୟନ୍ତ୍ରଣକୁ ଆଣିବାକୁ ଏବେ ରାଜ୍ୟ ର ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ସ୍କାନରରେ ରଖିଛନ୍ତି ରାଜ୍ୟ ସରକାର । ମୁଖ୍ୟତଃ ସୀମାନ୍ତ ଜିଲ୍ଲା, ବ୍ଲକ ଓ ଗାଁ ଗୁଡିକରେ ବ୍ୟାପକ ସଚେତନତା ସହ ୫ କିମି ପରିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋ-ମଇଁଷି ପରିବହନ ଉପରେ କଟକଣା ଲଗାଯିବା ସହ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମଶା ଓ ଟିଙ୍କ ଦ୍ୱାରା ଏହି ରୋଗ ଗୋଟିଏ ପଶୁ ଠାରୁ ଅନ୍ୟକୁ ବ୍ୟାପିଥାଏ । ରୋଗରେ ଆକ୍ରାନ୍ତ ଗାଈଗୋରୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ବ୍ୟାପିଥାଏ । ଗାଁ ଗହଳିରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଈ ଦୁହିଁଲେ ଏହି ରୋଗ ବ୍ୟାପୁଥିବା ପ୍ରାଣୀ ଚିକିତ୍ସକ ଙ୍କ ମତ । ତେଣୁ ଗାଈ ଖିର ଖାଉଥିଲେ କ୍ଷୀରକୁ ଭଲ ଭାବରେ ଗରମ କରି ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ଲମ୍ପି ସ୍କିନ ରୋଗ ର ଲକ୍ଷଣ କ’ଣ ?

ଏହି ରୋଗ ହେଲେ ପ୍ରଥମେ ଗୋରୁଗାଈଙ୍କୁ ଜ୍ୱର ହେବ । ପରେ ଚର୍ମରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ । ନିମୋନିଆ ହେବା ସହ ଲଙ୍ଗସ୍ ଇନଫକେସନ ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଦିଏ । ଫଳରେ ଗୋରୁଗାଈ ଖାଇବା ବନ୍ଦ କରି ଦେଇଥାନ୍ତି । ଏପରକି ଆସନ୍ନ ପ୍ରସବା ଗାଈ ର ଛୁଆ ବାହାରିଯାଏ । କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମି ଯାଏ । ଯଦି ଗାଈ ଥରେ ଏହି ରୋଗରେ ଆକ୍ରାନ୍ତ ହୁଏ, ତେବେ ବହୁ ଦିନ ଯାଏ ଛୁଆ ଜନ୍ମ କରିପାରିବେ ନାହିଁ । ପ୍ରତିକାର ପାଇଁ ଗୋ-ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ । ଏଥିସହ ଗାଈ ଗୁହାଳରେ ସୋଡିୟମ ହାଇପ୍ରୋ କ୍ଲୋରାଇଡ଼ ସ୍ପ୍ରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Popular Articles