Related Contents

ପଥର ମାଫିଆଙ୍କ ଭୁସ୍ବର୍ଗ ପାଲଟିଛି ତେଲିଙ୍ଗିରୀ ପ୍ରକଳ୍ପାଞ୍ଚଳ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର
କୋରାପୁଟ(୨୯/୦୮): ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ବାରା ବୋରିଗୁମ୍ମାରୁ କୋରାପୁଟ ଦେଇ ଯାଇଥିବା ଜାତୀୟ ରାଜପଥ ଜଳମଗ୍ନ ହୋଇଥିବାରୁ ପାହାଡ କାଟି ନିର୍ମାଣ କରାଯାଇଥିବା ଜଳଭଣ୍ଡାର ତଟବର୍ତ୍ତୀ ନିର୍ମାଣ କରାଯାଇଥିବା ନୂତନ ରାସ୍ତା ସଂଲଗ୍ନ ପାହାଡରେ ଏବେ ବେଧଡକ ଅବୈଧ ପଥର ବିସ୍ଫୋରଣ ଚାଲିଛି ।

ପାହାଡ ତଳ ହୋଇଥିବାରୁ ବର୍ଷା ଋତୁରେ ସମୟ ସମୟରେ ଏଠାରେ ମାଟି ଅତଡା ଖସିଥାଏ, ଗତ ବର୍ଷ ମଧ୍ୟ ଖସିଥିଲା ଏବଂ ରାସ୍ତା ଅବରୋଧ ହୋଇଥିଲା | ଏହାର ସୁଯୋଗ ନେଇ କିଛି ପଥର ମାଫିଆ ଅବୈଧ ବିସ୍ଫୋରଣ କରି ମାଟି ଅତଡା ଖସିବାର ଭ୍ରମ ସୃଷ୍ଟି କରୁଛନ୍ତି | ଏହି ଦୃଶ୍ୟକୁ ଦେଖିଲେ ପଥର ଫଟା ଯାଇଥିବା ସ୍ପଷ୍ଟ ବାରି ହେଉଛି | ପଥରରେ ଆଦୌ ମାଟି ଲାଗିନାହିଁ | ଭଙ୍ଗା ପଥରର ଆକୃତି ନିଜେ ବର୍ଣ୍ଣନା କରୁଛି ନିଜ କାହାଣୀ | ବୋରିଗୁମ୍ମା -କୋରାପୁଟ ରାସ୍ତାରେ ରାଣୀଗୁଡା ଠାରୁ ମାତ୍ର ୨କିଲୋମିଟର ଦୂରରେ ଥିବା ଏହି ଜାଗା ଅତିକ୍ରମ କରି ଶହ ଶହ ଗାଡ଼ି ମୋଟର ଯାତାୟତ କରୁଥିବା ସତ୍ତ୍ବେ ଏପର୍ଯ୍ୟନ୍ତ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ କୌଣସି ବଡ ଧରଣର ଦୁର୍ଘଟଣା ଭୟରେ ସନ୍ଧ୍ୟା ୬ଟା ପରେ ଏହି ରାସ୍ତାରେ ଯିବାକୁ କେହି ନିରାପଦ ମଣୁ ନାହାନ୍ତି | ପ୍ରଶାସନ ଶୀଘ୍ର ପଦକ୍ଷେପ ନେଇ ବେଆଇନ ବିସ୍ଫୋରଣ ବନ୍ଦ କରିବାକୁ ସାଧାରଣରେ ଦାବି ଜୋର ଧରିଛି |

Comments are closed.