ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କିଏ ପଚାରେ….. ମୁରିବାହାଲ ବିଇଓ ଅଫିସ ଖାଲି, କର୍ମଚାରୀ ମନଇଚ୍ଛା ଆସୁଛନ୍ତି

ରିପୋର୍ଟ: ଭଗବାନ ମହାନ୍ତି/ ନିମାଇଁ ବଘାର
ମୁରିବାହାଲ(୨୮/୦୮): ସଭିଏଁ ପଢିବେ, ସଭିଏଁ ବଢ଼ିବେ, ଶିକ୍ଷା ମୌଳିକ ଅଧିକାର ନ୍ୟାୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାବ୍ୟବସ୍ଥାରେ ସଂସ୍କାର ପାଇଁ କୋଟି କୋଟି ଟଙ୍କାର ଯୋଜନା ଓ ତାଲିମ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମ ସମ୍ପାଦନା ପାଇଁ ମାଳ ମାଳ କର୍ମଚାରୀ ନିଯୁକ୍ତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ମୁତାବକ ଦିନ୧୦ଟାରୁ ୫.୩୦ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଖୋଲାଯିବା ବାଧ୍ୟତାମୂଳକ ଥିଲେ ମଧ୍ୟ ମୁରିବାହାଲ ବିଇଓ ଅଫିସରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ।

ବିଇଓ ଅଫିସର କର୍ମଚାରୀ ମାନେ ମନଇଚ୍ଛା ଅଫିସକୁ ଆସୁଥିବା ଓ ଯାଉଥିବା ବାରମ୍ବାର ବହୁ ପୂର୍ବରୁ ଅଭିଯୋଗ ହୋଇଆସୁଥିବା ବେଳେ ବୁଧବାର ଆମ ପ୍ରତିନିଧି ବିଇଓ ଅଫିସକୁ ଦିନ ୧୨ଟା ବେଳେ ଗଲା ବେଳକୁ ଅଫିସର ସବୁ ଚୌକି ଖାଲି ପଡିଥିବା ଦେଖିବାକୁ ମିଳିଥିଲା । କେବଳ ଏସଏସଏ ଓ କମ୍ପୁଟର ବିଭାଗର ଉପସ୍ଥିତ କର୍ମଚାରୀମାନଙ୍କୁ ପଚାରିବାରୁ ବୁଧବାର ବିଇଓ ଜଗନ୍ନାଥ ଧରୁଆ ଭୁବନେଶ୍ୱରକୁ ଟ୍ରେନିଂ ପାଇଁ ଯାଇଥିବା ବେଳେ ଏକମାତ୍ର ଏବିଇଓ ଦେବରାଜ ଦାସ ସ୍କୁଲ ମନିଟରିଂ ପାଇଁ ବଡ଼ସାଇମରା ଓ ଖରଜୁରୀ ସ୍କୁଲ ଯାଇଥିବା, ମୁଖ୍ୟ କିରାଣୀ ନାରାୟଣ ମାଝୀ ଓ ଅନ୍ୟତମ କିରାଣୀ ରାଧେଶ୍ୟାମ ଭୋଇ ବିନା ଛୁଟି ଦରଖାସ୍ତରେ ଅଫିସରେ ଅନୁପସ୍ଥିତ ଥିବା ବେଳେ କେବଳ କିରାଣୀ ଅଶୋକ ନାୟକ ଛୁଟି ଦରଖାସ୍ତ ଅଫିସରେ ଦେଇ ଛୁଟିରେ ଥିବା ଦେଖିବାକୁ ମିଳିଥିଲା । ବିଇଓ ଅଫିସକୁ ବିଭିନ୍ନ ପ୍ରକାରର କାମ ପାଇଁ ଆସୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଆପତ୍ତି ଅଭିଯୋଗ ନେଇ ଆସୁଥିବା ଅଭିଭାବକ ମହଲରେ ଅଫିସରେ କାହାକୁ ନ ଭେଟି ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନଙ୍କ କାର୍ଯ୍ୟ ଶେଷ କରି ନ ପାରି ସମସ୍ତେ ନିରାଶ ହୋଇ ଫେରିଥାନ୍ତି । ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାସ ମାସ ଧରି ଦରମା ଓ ଅନ୍ୟାନ୍ୟ କାର୍ଯ୍ୟ ହୋଇନଥାଏ ।ମୁରିବାହାଲ ବିଇଓ ଜଗନ୍ନାଥ ଧରୁଆ ମୁରିବାହାଲ ସହ ତୁରେକେଲା ବିଇଓ, କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଏପରି ୪ଟି ଦାୟିତ୍ୱ ତୁଲାଉଥିବାରୁ ଉଭୟ ବ୍ଳକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ କେବଳ ଫାଇଲ ଦସ୍ତଖତରେ ବିଇଓଙ୍କ ସମୟ ସରିଯାଉଥିବା ଅଭିଯୋଗ ହେଉଛି ।

ମୁରିବାହାଲରେ ଜଣେମାତ୍ର ଏବିଇଓ ଶ୍ରୀ ଦାସ ଥିବା ବେଳେ ଆହୁରି ୨ଟି ଏବିଇଓ ପଦବୀ ଖାଲି ପଡ଼ିଛି । ସେହିପରି ମୁରିବାହାଲ ବିଇଓ ଅଫିସରେ ପୂର୍ବରୁ ଲାଗିଥିବା ବାୟୋମେଟ୍ରିକ ଉପସ୍ଥାନ ମେସିନକୁ କେତେକ ନ୍ୟସ୍ତସ୍ୱାର୍ଥ କର୍ମଚାରୀ ଭାଂଗିରୁଜି ଦେଇ ଅଫିସର ଆଲମାରୀରେ ଥୋଇଦେଇଥିବା ଅଭିଯୋଗ ହୋଇଛି ।ଫଳରେ କର୍ମଚାରୀ ମାନେ ନିଜ ସୁବିଧାରେ ମନଇଚ୍ଛା ଆସିବା ଯିବା ସୁବିଧା ହେଉଛି । କେବଳ ଅଫିସରେ ସିସିଟିଭି ଚାଲୁଥିଲେ ମଧ୍ୟ ତାହା ମଧ୍ୟ ଅଧିକାଂଶ ସମୟରେ ବନ୍ଦ ପଡିଥାଏ । ପୁରୁଣା ବିଆରସିସି କୋଠାରେ ଚାଲୁଥିବା ବିଇଓ ଅଫିସରୁ ବର୍ଷା ଦିନେ ଅନବରତ ପାଣି ଗଳିବା ସହ କାନ୍ଥ ସବୁ ଓଦା ଓ ଛାତରୁ ପ୍ଲାଷ୍ଟର ଖସିଥାଏ । ସମଗ୍ର ବ୍ଳକର ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ବିଇଓ ଅଫିସର କର୍ମଚାରୀ ଓ ଅଫିସ କୋଠାର ଅବସ୍ଥା ଯଦି ଏମିତି ତେବେ ବ୍ଳକରେ ଶିକ୍ଷା ବ୍ୟବସ୍ଥା କେବଳ କାଗଜ କଲମରେ ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ଏସମ୍ପର୍କରେ ବିଇଓ ଶ୍ରୀ ଧରୁଆଙ୍କ ଫୋନ ସୁଇଚ ଅଫ ଥିବା ବେଳେ ବଲାଙ୍ଗୀର ଡିଇଓ କାର୍ତ୍ତିକେଶ୍ୱର ଲେଙ୍କାଙ୍କୁ ପଚାରିବାରୁ ‘ବିନା ଛୁଟି ଦରଖାସ୍ତରେ ବିଇଓ ଅଫିସରେ ଅନୁପସ୍ଥିତ କର୍ମଚାରୀ ଓ ବିଳମ୍ବରେ ଆସୁଥିବା କର୍ମଚାରୀ ଓ ଶିକ୍ଷକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ସେ ପ୍ରକାଶ କରିଥିଲେ ।

Comments are closed.