ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜଣେ ଯବାନ ସହିଦ, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୨୮/୦୮): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର କଦମଗୁଡା ପଞ୍ଚାୟତର ଡାବୁଗୁଡା ଗ୍ରାମ ଓ ବଡ଼ଡୁରାଲ ପଞ୍ଚାୟତର ସୋନୁଗୁଡା ଜଙ୍ଗଲ ମଧ୍ୟରେ ଆଜି ସକାଳୁ ଏସଓଜି ଓ ଡିଭିଏଫ ଯବାନ-ମାଓବାଦୀଙ୍କ ମଧ୍ୟରେ ବଣ୍ଡାଘାଟି ସୀମାନ୍ତ ଅଞ୍ଚଳରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଜାରୀ ରହିଥିବା ବେଳେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି ।

ଆହତ ଯବାନ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମାଥିଲି ଉପ ଖଣ୍ଡିୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଆ ଯାଇଛି । ଯାହା ଏବେ ଏବେ ଖବର ମିଳୁଛି ଯେ ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଯବାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ସୂଚନା ଆସୁଛି । ଯବାନଙ୍କ ନାମ ଜୟରାମ କବାସୀ ତାଙ୍କ ଘର ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ଗାଁର ବୋଲି ଜଣାପଡିଛି । କିନ୍ତୁ ଆହତ ଯବାନ ଜଣଙ୍କ ଶିଖାପାଲ୍ଲୀ ରାମ ଦୁରୁଆ ବୋଲି ସୂଚନା ମିଳୁଛି । ଆହତ ଯବାନକୁ ଅଧିକ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ବିଶାଖାପାଟଣା ନିଆ ଯାଇଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା କେତେ ମାଓବାଦୀ ମୃତାହତ ହୋଇଛି ସୂଚନା ମିଳିନାହିଁ । ଏବେ ଯବାନ ମାନେ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସର୍ଚ୍ଚ ଅପରେସନ ପରେ ପ୍ରକୃତ ତଥ୍ୟ ମିଳି ପାରିବ ବୋଲି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ମୃତ ଯବାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

Comments are closed.