Friday, March 29, 2024

Top 5 This Week

Related Posts

ଅବପାତ ର ରୂପ ନେଲା ଲଘୁଚାପ : ଆଗାମୀ ୨୪ ଘଣ୍ଟାରେ ହେବ ଦୁର୍ବଳ !

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୧/୦୯) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତ ରେ ପରିଣତ ହୋଇଛି । ଏବେ ଏହା ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରୁ ଉତ୍ତର ପଶ୍ଚିମ ଦିଗରେ ୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ଆସନ୍ତା ୨୪ ଘଣ୍ଟାରେ ଏହା ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଦେଇ ଗତି କରିବା ସହ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି ।

ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୮ ଜିଲ୍ଲା- ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,ବଲାଙ୍ଗିର, କନ୍ଧମାଳ,ବୌଦ୍ଧ, ସୋନପୁର ଓ ବରଗଡ଼ର ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୬ ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲା ଗୁଡ଼ିକ ହେଉଛନ୍ତି- କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ।

୧୨ ତାରିଖ ସକାଳ ସାଢ଼େ ୮ଟା ରୁ ୧୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, କନ୍ଧମାଳ, ସୋନପୁର, ବୌଦ୍ଧ ଓ ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ସେପ୍ଟେମ୍ବର ୧୭/୧୮ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ।

Popular Articles