Thursday, March 28, 2024

Top 5 This Week

Related Posts

ବର୍ଷା ଜଳ ସଂରକ୍ଷଣ ପାଇଁ ନୂଆ ଯୋଜନା ‘ଛତା’

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୯) : ନିଜର ପରିଚାଳନାଗତ ତ୍ରୁଟି ପାଇଁ ବର୍ଷା ଜଳ ସଂରକ୍ଷଣ ଯୋଜନାକୁ ସଫଳ କରିପାରିନଥିବା ରାଜ୍ୟ ସରକାର ଏବେ ପୁଣି ନୂଆଁ ବୋତଲରେ ପୁରୁଣା ମଦ ପୁରାଇ ନିଜର ପ୍ରଚାର ପ୍ରସାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଏଥିପାଇଁ ‘କମ୍ୟୁନିଟି ହାର୍ଣ୍ଣେସିଙ୍ଗ ଆଣ୍ଡ ହାରଭେଷ୍ଟିଙ୍ଗ ରେନ ୱାଟର ଆର୍ଟଫିସିଆଲି ଫର୍ମ ଟେରାସ ଟୁ ଆକ୍ୱିଫାୟାର’ (ଛତା) ନାମରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଗତକାଲି ଏ ନେଇ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ବିଧିବଦ୍ଧ ସଂକଳ୍ପ ଜାରି ହୋଇଛି । ତେବେ ଗତ ୫ ବର୍ଷ ଧରି ସରକାରୀ କୋଠାରେ ବର୍ଷା ଜଳ ସଂରକ୍ଷଣ ଯୋଜନା କରିବାରେ ବିଫଳ ଥିବା ଜଳସମ୍ପଦ ବିଭାଗ ଏବେ ‘ଛତା’ ନାଁରେ ୫ ବର୍ଷିଆ ଯୋଜନା ଆଣି ସଫଳ ହେଉଛି ନା କେବଳ ଅର୍ଥ ଶ୍ରାଦ୍ଧ କରୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ସଂକଳ୍ପ ଅନୁସାରେ ବର୍ଷାଜଳ ସଂରକ୍ଷଣ ପାଇଁ ‘ଛତା’ ଯୋଜନା ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୨୭ ଟି ସହର ଓ ୫୨ ଟି ଜଳାଭାବ ରହୁଥିବା ବ୍ଲକ ର ମୋଟ ୨୯୫୦୦ ଘରୋଇ କୋଠା ଓ ୧୯୨୫ ଟି ସରକାରୀ କୋଠାରେ ଏହି ବର୍ଷା ଜଳ ସଂରକ୍ଷଣ କରାଯିବ । ଏଥିପାଇଁ ୨୭୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି ।

ଏହି ଛତା ଯୋଜନାରେ ମୋଟ ୩୭୩.୫୨ କୋଟି ଲିଟର ବର୍ଷା ଜଳ ସଂରକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରତ୍ୟେକ କୋଠାରେ ପ୍ରାୟ ୪.୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହା କରାଯିବ ବୋଲି ଜଣାପଡ଼ିଛି । ଏହି ରୁଫଟପ୍ ବର୍ଷା ଜଳ ସଂରକ୍ଷଣ ପାଇଁ ବିଭାଗ ପକ୍ଷରୁ ‘ଛତା’ ଯୋଜନା ଚଳିତ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ।

ତେବେ ପ୍ରଶ୍ନ ଉଠୁଛି, ବର୍ଷାଜଳ ସଂରକ୍ଷଣ ସମସ୍ତ ସରକାରୀ କୋଠାରେ ୨୦୨୦ ମସିହା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ଜଳସମ୍ପଦ ବିଭାଗ କାହିଁକି ଏପର୍ଯ୍ୟନ୍ତ ସେଥିରେ ସଫଳ ହୋଇପାରିନି ଓ କେନ୍ଦ୍ର ସରକାର ଏଥିପାଇଁ ଯୋଗାଉଥିବା ଅନୁଦାନ କେଉଁଆଡ଼େ ବିନିଯୋଗ ହେଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Popular Articles