ଟ୍ରାଫିକ ନିୟମ ଉଲ୍ଲଘଂନ ଯୋଗୁଁ ୧୨,୫୪୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ

0
111
ଟ୍ରାଫିକ ନିୟମ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୯) : ହେଲମେଟ୍ ନପିନ୍ଧି ବାଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ପ୍ରାଧିକରଣ ମୋଟ ୧୨,୫୪୫ ଜଣ ବାଇକ୍ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଛନ୍ତି । ଏହା ସହିତ ମୋଟ ୨୪,୪୭୪ ଜଣଙ୍କୁ ଇ-ଚାଲାଣ ମଧ୍ୟ ଜାରି କରିଛନ୍ତି ।

ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଅଗଷ୍ଟ ୧୬ ରୁ ୩୦ ତାରିଖ ମଧ୍ୟରେ ଜାତୀୟ ଓ ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନରେ ଟ୍ରାଫିକ ନିୟମ ଉଲ୍ଲଘଂନ ଓ ହେଲମେଟ୍ ପିନ୍ଧିନଥିବା ଯୋଗୁଁ ମୋଟ ୬୩ ଲକ୍ଷ ୯୮ ହଜାର ୧୧୮ ଟଙ୍କା ଜୋରିମାନା ଆଦାୟ ହୋଇଛି । କେବଳ ହେଲମେଟ୍ ପିନ୍ଧିନଥିବା ଯୋଗୁଁ ୧୨,୫୪୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିବା ଯୋଗୁଁ ୮୮୮ ଟି ଗାଡ଼ିକୁ ଜବତ କରାଯାଇଛି ।

ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାସ୍ତା ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ରାସ୍ତା ଦୁର୍ଘଟଣାଜନିତ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ ଲୋକଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବାଇକ ଚାଳକଙ୍କ ପାଇଁ ଜାତୀୟ ଓ ରାଜ୍ୟ ରାଜପଥରେ ଅଧିକାଂଶ ଦୁର୍ଘଟଣା ହେଉଥିବାରୁ ବିନା ହେଲମେଟରେ ଗାଡ଼ି ଚଳାଇବାକୁ କଟକଣା କରିବା ପାଇଁ ଏହି ଅଭିଯାନକୁ ଜୋରଦାର କରାଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ରାସ୍ତା ଦୁର୍ଘଟଣାରେ ୮୬୮ ଜଣ ବାଇକ ଚାଳକ ଓ ପଛରେ ବସିଥିବା ୪୪୦ ଜଣଙ୍କ ସମେତ ମୋଟ ୧୩୦୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ୍ ପିନ୍ଧି ନଥିଲେ । ବାଇକ୍ ଆରୋହୀଙ୍କ ମଧ୍ୟରୁ ୧୨୮୦ ଜଣ ଗୁରୁତର ଆହତ ଓ ୭୪୭ ଜଣ ସାମାନ୍ୟ ଆହତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।