ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି

0
122
ଦୁଇ ମାସ ପରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଲମ୍ବୋ, (୦୩/୦୯) : ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ । ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଗୋଟାବାୟ ରାଜପକ୍ଷେ ଗତକାଲି ଥାଇଲାଣ୍ଡରୁ ସ୍ୱଦେଶ ଫେରିଛନ୍ତି ।

ଦୀର୍ଘ ଦୁଇ ମାସ ପରେ ସେ ଶ୍ରୀଲଙ୍କା ଫେରିଥିବା ଜଣାପଡିଛି । ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଭିତରେ ଜୁଲାଇ ମାସରେ ଲୋକଙ୍କ ଆକ୍ରୋଶ ର ଶିକାର ହୋଇଥିଲେ ଗୋଟାବାୟ । ପରେ ସ୍ଥିତି ଅଣାୟତ ହେଉଥିବା ଦେଖି ଜୁଲାଇ ୧୩ ତାରିଖରେ ଗୋଟାବାୟ ପରିବାର ସହ ଦେଶ ଛାଡି ପଳାଇଥିଲେ । ସେହି ସମୟରେ ବିକ୍ଷୋଭକାରୀମାନେ କଲମ୍ବୋ ର ରାଷ୍ଟ୍ରପତି ଭବନ ସମେତ ଅନ୍ୟ ସରକାରୀ ବାସଭବନ ଭିତରେ ଧସେଇ ପଶିଥିବା ଦେଖିବାକୁ ମିଳିଥିଲା ।

ପରିସ୍ଥିତି ସାମାନ୍ୟ ଶାନ୍ତ ପଡିବା ପରେ ଏବେ ଗୋଟାବାୟ ଶ୍ରୀଲଙ୍କା ଫେରିଛନ୍ତି । କଡା ସୁରକ୍ଷା ଭିତରେ ସେ ଭଣ୍ଟାରନାୟକେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି ।

ସୂଚନାନୁସାରେ, ପୂର୍ବତନ ରାଷ୍ଟ୍ରପତି ସିଙ୍ଗାପୁର ଏୟାରଲାଇନ୍ସ ର ବିମାନରୁ ଫେରିଛନ୍ତି । ତାଙ୍କ କହିବାନୁସାରେ, ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି । ରିପୋର୍ଟ ମୁତାବକ, ଗୋଟାବାୟ ରାଜପେକ୍ଷ ଶ୍ରୀଲଙ୍କା ର ବିଜେରାମା ମୱାଥା ନିକଟ ଏକ ସରକାରୀ ବଙ୍ଗଳାରେ ରହିବେ । ଏଥିପାଇଁ ପୂରା ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗୋଟାବାୟ ରାଜପକ୍ଷେ ପ୍ରଥମେ ଶ୍ରୀଲଙ୍କା ବାୟୁସେନା ବିମାନ ଜରିଆରେ କଲମ୍ବୋରୁ ମାଲଦୀପ ପଳାୟନ କରିଥିଲେ । ସେଠାରୁ ସେ ସିଙ୍ଗାପୁର ଯାଇଥିଲେ । ସିଙ୍ଗାପୁରରୁ ହିଁ ସେ ଜୁଲାଇ ୧୪ ତାରିଖରେ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଏହାପରେ ରାଜପକ୍ଷେ ଅସ୍ଥାୟୀ ଆଶ୍ରୟ ପାଇଁ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିଥିଲେ ।